ଅପମାନ
ଅପମାନ
ମାନ ଅଭିମାନ ଭୂଲି ହୁଏ ସିନା
ଭୂଲେନା କେ' ଅପମାନ
ଗଭୀର ସେ କ୍ଷତ ଅଜସ୍ର ଆଘାତ
ଭୟଙ୍କର ସେ ଦହନ ।।
କର୍କଟର କଷ୍ଟ ଠାରୁ ବି ଉତ୍କଟ
ଅପମାନ ଦାଗି ଘାଆ
ଗୁମୁରି ଗୁମୁରି ଅଧା ମରିମରି
ହୃଦେ ଜଉଘର ନିଆଁ ।।
ସ୍ନେହ ଶରଧାର ଏ ପ୍ରୀତି ସଂସାର
ସମ୍ପର୍କ ଯେ ସଜଫୁଲ
ସନ୍ଦେହ ଛଳନା ଆସ୍ପର୍ଦ୍ଧା ରହିଲେ
ତୁଚ୍ଛ ସେ ସମ୍ପର୍କ ମୂଲ ।।
ସଂସ୍କାରରେ ସାରା ପୃଥ୍ବୀ ଜିତି ହୁଏ
ଗର୍ବ ଅହଙ୍କାରେ ଧ୍ଵଂସ
ନମ୍ର ଭଦ୍ର ପଣେ ଆଦରିପାରିଲେ
ସର୍ଵେ ହେବେ ନିଜ ଵଶ ।।
କେତେ ଅପମାନ ସହିଲେ ପାଣ୍ଡବ
କୌରବମାନଙ୍କ ଠାରୁ
ଧର୍ମ ସତ୍ୟ ପଥ ହୁଡ଼ି ନ ଥିଲେ ସେ
ସେମାନଙ୍କ ଆବାଲ୍ୟରୁ ।।
କୁରୁକ୍ଷେତ୍ର ଯୁଦ୍ଧ ମୂଳଦୁଆ ପରା
ଅପମାନ ଅନଳରୁ
କେତେ ରକ୍ତପାତ ସୋଦର ନିହତ
ହିଂସା ଦ୍ୱେଷ ଭରିବାରୁ ।।
ମହତ ଭାବନା ସ୍ଵର୍ଗୀୟ ଚେତନା
ହୃଦେ ଯା'ର ପୁରିଥିଵ
କଟୁକ୍ତି କଟାକ୍ଷ ବ୍ୟବହାରେ ରୁକ୍ଷ
କେବେ ସେ ନ ଆଚରିଵ ।।
ଦୁର୍ବ୍ୟବହାରଟା ଯନ୍ତ୍ରଣାଦାୟକ
ନିଜେ ଯଦି ଅନୁଭଵ
ଅପରକୁ କେଉଁ ଅଧିକାରେ ତୁମେ
ଦିଅ ତା'ର ପରାଭଵ ।।
ଆପଣାପଣରେ ଆଉଜେଇ ନେଲେ
ପର ବି ହେବେ ନିଜର
କ୍ରୋଧ ଅଶାଳୀନ ମନ୍ଦ ମନ୍ତବ୍ୟରେ
ଆତ୍ମୀୟ ବି ସାତପର ।।
ସମ୍ମାନ ଆଦର ସନ୍ତୋଷର ଝର
ଵୁଣେ ସୁସମ୍ପର୍କ ବୀଜ
ଛଳନା କପଟେ ଆତ୍ମୀୟତା ହଟେ
ମିତ୍ର ବନ୍ଧୁ ସର୍ଵେ ହେଜ ।।
ଗୁରୁ ଗୁରୁଜନେ ଅପମାନ ଦେଲେ
କୋଟି ପାପ ଜମା ହୁଏ
ପ୍ରଭୁ ଅନ୍ତର୍ଯ୍ୟାମୀ ସବୁ ଜାଣୁଥାନ୍ତି
ନିଶ୍ଚେ ନର୍କଗାମୀ ହୁଏ ।।
କେତେ ପୁଣ୍ୟ ବଳେ ନର ଜନ୍ମ ଵହି
ଧରା ବକ୍ଷେ ଜନମିଛେ
ବଡ଼ ପଣେ ଦୟା କ୍ଷମା ଆଚରିଲେ
ବିଭୁ କୃପା ମିଳେ ନିଶ୍ଚେ ।।