ଅଫେରା ରାଇଜ
ଅଫେରା ରାଇଜ
ବୟସର ବାଲିଘର ଭାଙ୍ଗିଯାଏ ସମୟର ଲହଡ଼ିରେ।
ଜୀବନ ବେଳାଭୂଇଁ ରେ ଅତୀତର ପାଦଚିହ୍ନ,
ପରିଷ୍କାର ଦେଖାଯାଏ ମନ ଆଇନାରେ।
ସ୍ମୃତି ସବୁ ମୁଣ୍ଡ ଟେକି ଉଙ୍କି ମାରେ,
ସମୁଦ୍ର କୂଳର ସେହି ପବନା କଙ୍କଡ଼ା ପରି।
ଗୋବର ଲିପା କାନ୍ଥରେ କଉଡ଼ିରେ ସାଜିଥିବା,
ଛୋଟ ଏକ ଷଠୀଘର,
ଷଠୀଦେବୀଙ୍କ ପାଖରେ ମୋ ଶୁଭ ମନାସିବା ପାଇଁ।
ସାଙ୍ଗ ସାଥି ମେଳେ କଙ୍କିଗାତ ଆଉ ଧୂଳିଘର।
ବାଈଗବା ଫୋପଡ଼ରେ ବରକୋଳି ପରା,
ସେଥିପାଇଁ ଯେତେ ଗାଳି କମ୍ଭାରୁଣି ବୁଢ଼ିଠାରୁ।
ପୋଖରୀରେ ଡ଼ିଆଁଡେଇଁ ପହଁରାପହଁରି,
ବନଶିରେ ଜିଆ ଗୁନ୍ଥି ମାଛଧରା,
ତେରେଣ୍ଡା ଉପରେ ବକ ଭଳି ଧ୍ୟାନ,
ଋଷିମାନେ ତପ କଲାପରି।
ମାଟି ଚୁଲି ତିନି ଝିଙ୍କା,ତା ଉପରେ ମାଟି ହାଣ୍ଡି ବାଉଁଶର ଚଟୁ,
ଢ଼ିଙ୍କିକୁଟା ଚାଉଳର ଭାତ,
ଫୁଟିବାର ଟୁକ୍ ଟାକ୍ ଶବ୍ଦ, ଗୋବରପରା ଘଷିରେ ଜଳୁଥାଏ ନିଆଁ,
ଚୁଲି ପାଖେ ଗୋଜଣା ଓ ଫୁଙ୍କନଳି,
ତା ପାଖରେ ବରଡା ଚଟେଇ ଉପରେ ବସି,
ଅଧାକଳା ପଡିଥିବା ଲଣ୍ଠନର ଆଲୁଅରେ,
ଛବିବହି ପଢ଼ୁଥିବା ଛୋଟ ପିଲାଟିଏ।
ସକାଳୁ ଗାଧୋଇ ସାରି ଆଈ ମାଆ ସାଙ୍ଗେ,
କଅଁଳ ଖରାରେ ବସି ପଖାଳ ଖାଇବା,
ତୋରାଣି ର ବାସ୍ନା ସଙ୍ଗେ,ବାରି ବରକୋଳି ,
ସଜନା ଶାଗ ଖରଡା ଆଉ ବଡ଼ି ଚୁରା।
ପହିଲି ରଜରେ ନୁଆ ଜାମା ,ପୋଡପିଠା,
ଆମ୍ବ ଗଛ ଡାଳେ ଝୁଲେ ବାଉଁଶର ଦୋଳି।
ଶଗଡ଼ ଗାଡ଼ିରେ ବସି ବୋଉ ସାଙ୍ଗେ ମାମୁଁ ଘର ଯିବା।
ଚିତୋଉ ଅମାବାସ୍ୟାରେ ଗେଣ୍ଡା ପିଠା ଖାଏ,
କାହା ଗୋଡ଼ କାଟିବନି ବୋଲି। ଭାରି ଲାଞ୍ଚୁଆ ଟା!
ବଉଳ ଆସିବା ପାଇଁ,ପିଠା ପୂଜା ଆମ୍ବ ଗଛ ପାଖେ।
ବରଷାରେ ଘର ଆଗେ ପାଣି ସୁଅ ଛୁଟେ,
ଭାସି ଭାସି ଯାଉଥାଏ କାଗଜର ଡଙ୍ଗା।
ସଞବେଳେ ମୋ ବୋଉର ଭାଗବତ ପଢା,
ମିଞି ମିଞି ଡ଼ିବି ଆଲୁଅରେ ,
ଶୀତ ଦିନେ ବୁଢ଼ିମାଆ ପାଖେ,
ହେଂସ ତଳେ ଶୋଇ ରହି ଉଷୁମ ଟାଣିବା।
ସବୁଥିରେ ଭରପୁର ମଜା ଓ ଆନନ୍ଦ,
ଅଫୁରନ୍ତ ମମତାର ଝର।
ନାହିଁ ନାହିଁ ଭିତରେ ବି ଅଛି ଅଛି ସ୍ଵର।
* *
ଆଜି କିନ୍ତୁ ସବୁ ଥାଇ ଖାଲି ଖାଲି ଲାଗେ।
ପେଟ ପୁରିଯାଏ ହେଲେ ଭୋକ ମରେ ନାହିଁ।
ହଁ ହଁ ଭିତରେ ନାହିଁ ନାହିଁ ଶବ୍ଦ।
ସମ୍ପର୍କ ସେତୁ ଉପରେ ସ୍ଵାର୍ଥର ଶିଉଳି।
ଜଣା ନାହିଁ, କେତେବେଳେ ଗୋଡ ଖସିଯିବ।
ସବୁ କିଛି ମପାଚୁପା , ମୂଲଚାଲ,
ଲାଭଖୋରୀ ବ୍ୟବସାୟ ପରି।
ସବୁଆଡ଼େ ସମ୍ପର୍କର ସୁଅ, କିନ୍ତୁ?
ଗନ୍ଧ ନାହିଁ ସ୍ନେହ ମମତାର।
* * *
ତେଣୁ ଆଜି ମନ ଝୁରେ ଅତୀତକୁ,
ମନ ହୁଏ ଫେରିବାକୁ ପୁରୁଣା ଦିନକୁ,
ହେ ସମୟ!
ସବୁ ଧନ ମାନ ବଦଳରେ,
ଫେରାଇ ଦିଅ ମୋତେ ମୋ ଆନନ୍ଦର ଦିନ।
କିନ୍ତୁ? ଏତେ ବାଟ ମୁଁ ଫେରି ପାରିବିତ?
ଏତେ ଦୂର ଅତିକ୍ରମ କରିବାକୁ,
ବାକି ବଳକା ଜୀବନ ଯଥେଷ୍ଟ ହେବତ?