ଅପେକ୍ଷା ର ଫଳ ମିଠା
ଅପେକ୍ଷା ର ଫଳ ମିଠା
ଅପେକ୍ଷା ର ଫଳ ଭାରି ମିଠା ସହୀ
ତରବରେ ଆଣ୍ଠୁ ଫାଟେ,
ଅଧୈର୍ଯ୍ୟ ହୋଇଲେ ପରିଶ୍ରମ ବୃଥା
ଫଳ ଟି ଭାଗ୍ୟେ ନ ଯୁଟେ ।।
ଧୈର୍ଯ୍ୟ ଧରି ରାତ୍ରେ ଅପେକ୍ଷା କରିଲେ
ପ୍ରଭାତେ ଉଦୟ ଭାନୁ,
ସତୀ ପଦ୍ମିନୀ ର ଅପେକ୍ଷା ର ଫଳ
ପ୍ରଭାତ ରେ ମିଳେ ଯେଣୁ ।।
କଷ୍ଟେ ଦିନ ଯାକ ଅପେକ୍ଷା କରଇ
ସରୋବର ସତୀ କଇଁ,
ମେଳଇ ପାଖୁଡ଼ା ଦେଖି ନିଶାକର
ସଂଜ ଯେବେ ଯାଏ ନଇଁ ।।
କଷ୍ଟ କଲେ କୃଷ୍ଣ ମିଳଇ ଅବଶ୍ୟ
ଏ ନୁହେଁ କେବେ ଅନ୍ୟଥା ,
ବିନା ପ୍ରତୀକ୍ଷା ରେ ନ ମିଳଇ ଫଳ
ଆଶା ସବୁ ହୁଏ ମିଥ୍ୟା ।।
ପରିଶ୍ରମ ସଙ୍ଗେ ଧୈର୍ଯ୍ୟ ସଦା ଲୋଡା
ମିଠା ଫଳ ପାଇବାକୁ,
ମଞ୍ଜି ପୋତିଦେଲେ ବହୁ ବର୍ଷ ଲାଗେ
ଫଳ କଷି ଧରିବାକୁ ।।
ଜୀବନ ଟା ସାରା ସଂଘର୍ଷ ରେ ଭରା
ପରୀକ୍ଷା ନିଅନ୍ତି ହରି,
ବଡ ଭକତ ର କଠିନ ପରୀକ୍ଷା
ଅଛନ୍ତି ଯୋଗାଡ କରି ।।
ବିଳମ୍ବ ରେ କାର୍ଯ୍ୟ ସିଦ୍ଧି ହୁଏ ନିଶ୍ଚେ
ଧୈର୍ଯ୍ୟ ଟିକେ ଲୋଡା ଖାଲି,
ଅଧୈର୍ଯ୍ୟ ମଣିଷ ବିଫଳ ହୁଅଇ
ଚାଲୁଥାଏ ମରୁ ବାଲି ।।
ପ୍ରଥମ ବର୍ଷା କୁ ଅପେକ୍ଷା କରଇ
ତୃଷାର୍ତ୍ତ ଚାତକ ଟିଏ,
ଆଦ୍ୟ ଜଳବିନ୍ଦୁ ପାନ ରେ ଆନନ୍ଦ
ପ୍ରତୀକ୍ଷା ର ଫଳ ସିଏ ।।
ନଈ ଦୁଇ ପଟେ ଚକୋର ଚକୋରୀ
ବିରହେ କାଟନ୍ତି ନିଶି,
ଅରୁଣ ପ୍ରକାଶେ ପ୍ରତୀକ୍ଷା ର ଅନ୍ତ
ଦୁଇ ପ୍ରାଣ ଯାଏ ମିଶି ।।
ଜୀବାତ୍ମା ଅପେକ୍ଷା କରିଛି ମୃତ୍ୟୁ କୁ
ଧୈର୍ଯ୍ୟ ର ପାହାଚ ପରେ,
ପରମାତ୍ମା ସଙ୍ଗେ ମିଶି ଯିବ ଯାଇ
ଉପଯୁକ୍ତ ସମୟ ରେ ।।
ଶ୍ରମଣା ଶବରୀ ଯୁଗ ଯୁଗ ଯାଏ
ପ୍ରତୀକ୍ଷା ତ କରିଥିଲା,
ଧୈର୍ଯ୍ୟ ର ଫଳ ମିଳିଲା ଅବଶ୍ୟ
ରାମ ସହ ଭେଟ ହେଲା ।।
ଅଶୋକ ବନରେ ସତୀ ବଇଦେହୀ
ରାମ ଙ୍କୁ ଅପେକ୍ଷା କଲେ,
ନାଶି ଦଶାନନ କୌଶଲ୍ୟା ନନ୍ଦନ
ସୀତା ଙ୍କୁ ଉଦ୍ଧାର କଲେ ।।
ପଥରେ ପଥର ହୋଇ ପଡ଼ିଥିଲା
ଅହଲ୍ୟା ପତି ଶାପ ରେ,
ରାମ ପାଦ ସ୍ପର୍ଶେ ମୁକତି ଲଭିଲା
ଯୁଗ ର ପ୍ରତୀକ୍ଷା ପରେ ।।
ଭରତ କୁମାର ପାଦୁକା ସେବିଲା
ଫଳ ମୂଳ ଭକ୍ଷ କରି,
ଚଉଦ ବରଷ ବନବାସ ପରେ
ଅଗ୍ରଜ ଆସିଲେ ଫେରି ।।
ଜୀବନ ଟା ଅଟେ କଠିନ ପରୀକ୍ଷା
ଖାଲ ଢିପ ଭରା ବାଟ,
ଧୈର୍ଯ୍ୟ ର ସହିତ ବାଟ ଚାଲୁଥିଲେ
ପରମାତ୍ମା ସଙ୍ଗେ ଭେଟ ।।
