ଅପେକ୍ଷା ର ଅନ୍ତନାହିଁ
ଅପେକ୍ଷା ର ଅନ୍ତନାହିଁ
ଶୀତଳ ଜାମିନୀ ନିରୋଳା ଜହ୍ନର
ଜୋଛନାର ରଶ୍ମିରେଖା
ଆନମନା ହୁଏ ଅମାନିଆ ମନ
ଏ କେଉଁ ମଧୁର ନିଶା ।।
ମନ୍ଦ୍ରିତ ହସନ୍ତ ଗୋଲାପ କଳି ମୋ
ପ୍ରଣୟିନୀ ପ୍ରିୟା ସହୀ
ଦରିଆରେ ସୁନା ସିନ୍ଦୁକେ ଫରୁଆ
ଭିତରେ ରହିଛି ଯାଇ ।।
ପ୍ରଷ୍ଫୁଟିତ ମନ ବୀଥିରେ ସଜନୀ
ଚମ୍ପା,ଚାମେଲି,ହେନା
କେବେ ଫୁଟି କେବେ ଝରିଯାଉଥାଏ
ଚକ୍ଷୁ ଅନ୍ତରାଳେ ସିନା ।।
ନୀଳ ଗଗନରୁ ଅକାଳ ବଉଦ
ଆସଇ ଯେପରି ମାଡ଼ି
ଜୀବନର ଅନ୍ତରିକ୍ଷେ କାଳରାହୁ
ଜହ୍ନ କୁ କି ଦେଲା ଗିଳି ।।
କେତେ ମଧୁମୟ ଲଗନ ବିଜନେ
ଭାବଭୋଳେ ସଖୀ କଟେ
ଚିନ୍ତା ଚେତନାର ଦ୍ଵନ୍ଦରେ ପଡ଼ି ମୋ
ଅଲୋଡା ଜୀବନ ଲୋଟେ ।।
କାହିଁ କେତେ ଦୂରେ ପ୍ରବାସେ ଅନ୍ଧାରେ
ଭୟର ପାହାଡ଼ ଯେତେ
ମାଡ଼ି ପଡେ ପ୍ରାଣ ଅଥୟ ହୁଅଇ
ଅଗମ୍ୟ ଅଜଣା ପଥେ ।।
ବୁଝିବାକୁ ବଳ ବେଳ ନାହିଁ ଆଉ
ବୟସ ଯାଉଛି ଗଡ଼ି
ତୁମରି ଚିନ୍ତାରେ ମନପକ୍ଷୀ ଏବେ
ଚାହିଁଛି ଯିବରେ ଉଡ଼ି ।।
ତଥାପି ତୁମର ସ୍ମୃତି ଚାରଣରେ
ଦିନ ରାତି ଯାଏ ବିତି
ଅପେକ୍ଷାର ଅନ୍ତ ନଥାଏ ଜୀବନେ
ପ୍ରତିକ୍ଷା କରିଛି ସାଥି ।।
