ଅନୁତାପ
ଅନୁତାପ
ନିର୍ଜନ ସକାଳରେ
ନିର୍ବିକାର ମନ ନେଇ
ନିକ୍ଷେପିଲା ଆକାଶକୁ
ତୀକ୍ଷଣ ଦୃଷ୍ଟି ତାର ।
ସାଜିଥିଲା ଚକ୍ରୀ ଯିଏ
ବୋଧହୁଏ ଆଉ କାଲିଠାରୁ
ନଥିବେ ପାଣ୍ଡବ ପାଶେ
ଅବା ସଖା ଗଣ
ନଥିବ ବା ଅପାର ଆଦର ।
ଦୀର୍ଘଦିନ ଚାଲିଥିବା
ଆକ୍ରୋଶ ଓ ଆକ୍ରମଣ
ଯାଉଥିଲେ ସହି ଅବା
ବିନା ପ୍ରତିବାଦେ
ଅମଣିଷ ଭଳି ।
ଆଜି ସବୁ ଭିଡିଛନ୍ତି ଅଣ୍ଟା
ଶକ୍ତ ମନ ନେଇ,
ତଡିବାକୁ ପଙ୍ଗପାଳ ଭାବି।
ଭାବୁଥିଲା ମନେ ମନେ
ଶିବ ମନ୍ଦିରର ଉପାସ୍ୟ ପୂଜକ,
ତଡାଯିବ ସାଜି ଆଜି
ଅଲୋଡା ବର୍ବର।
ସମୟର ଚାରିଛକେ
ଦିଗଭ୍ରାନ୍ତ ପଥିକ ସଦୃଶ
ଘୁରି ବୁଲିବାକୁ
ନାହିଁ ଆଉ ଅଧିକ ସମୟ ।
ସମୟରେ କରିଥିଲା
ଅକ୍ତିୟାର ଶକ୍ତି ଅନାୟାସେ
ଥାପୁଥିଲା ଶକ୍ତ ଶବ୍ଦ ବାଣ
ନମାନି ସେ ସ୍ଥାନ କାଳ ପାତ୍ର ।
ବୁମେରାଂ ହେବ ଆଜି
ତାର ଫିଙ୍ଗା ଅସ୍ତ୍ର
ତୟାର ରହିବ ନିଶ୍ଚେ,
ଶକ୍ତି ନାହିଁ ଆଜି ତାର
ଉଠିବନି ଗାଣ୍ଡୀବ ଆଉ
ନଥିବ ବା କୃଷ୍ଣା ତାର ପାଶେ
ଅନୁତାପ ହେବ ଶେଷ ଅସ୍ତ୍ର
ଜୀବନରେ ତାର ।