ଅନ୍ତରଙ୍ଗ ଆତତାୟୀ
ଅନ୍ତରଙ୍ଗ ଆତତାୟୀ
କୌଣସି ଚୁକ୍ତି, ଦାବିପତ୍ର
ନଥାଏ କୌଣସି ସର୍ତ୍ତ
ସ୍ବପ୍ନମାନଙ୍କୁ ସାଇତି ରଖିବାକୁ
ଚେତନାର ଅବ୍ୟକ୍ତ ଅନ୍ଧକାରେ ,
ତଥାପି କେମିତି କେଉଁଠୁ
ଲମ୍ବି ଆସେ ଅଦୃଶ୍ୟ ଶିକୁଳୀ
କରିବାକୁ ଅବରୁଦ୍ଧ ଶୂନ୍ୟ ପଞ୍ଜୁରୀରେ ।
ଅସ୍ତିତ୍ୱରେ ପ୍ରଶ୍ନ ଚିହ୍ନ ଲାଗିସାରିଥାଏ
ଅନେକ ଆଗରୁ
ବନ୍ଧନର ସୀମାରେଖା ଡେଇଁ
ମନ ପକ୍ଷୀ କିନ୍ତୁ ଉଡ଼ି ଯାଇଥାଏ
ନିଜସ୍ୱ ପୃଥିବୀକୁ
ନିଜ ଇଛାମତେ ଜିଇଁବାକୁ
ପ୍ରତିଟି ଅନ୍ତର ଆରମ୍ଭ ପୂର୍ବରୁ ।
ଘାତକ କି କେହି ଅଛି
ଅନ୍ତରଙ୍ଗ ଶତୃ ସମ
ଦୁର୍ବୋଧ୍ୟ, ଅବୋଧ୍ୟ ମନଠାରୁ ?
ନିରୁଦ୍ଦିଷ୍ଟ ହେବାର ଚମତ୍କାର କଳା
ଅମୀମାଂସିତ ସମାଧାନକୁ
ଜଟିଳ କରିବାରେ ସିଦ୍ଧହସ୍ତ
ଅଛି କେ ତା ଠାରୁ ?
ନିଜଠାରୁ ନିଜକୁ ଚୋରାଇ
ସଂଲଗ୍ନ କରୁଥାଏ
ଭିନ୍ନ ଏକ ନିଷିଦ୍ଧ ପୃଥିବୀରେ
ଆଖ୍ୟା , ବ୍ୟାଖ୍ୟା ,ସମୀକ୍ଷା ଉର୍ଦ୍ଧ୍ବରେ
କେବଳ ମନସ୍କ ଥାଏ
ଇପ୍ସିତ ମୁହୂର୍ତ୍ତର ଚରମ ମୁଦ୍ରାରେ
ଅକଳ୍ପିତ ଉଲ୍ଲାସ ପ୍ରାପ୍ତିରେ ।
ଦେହ ଵିଦେହର ସୂକ୍ଷ୍ମ ସମ୍ପର୍କକୁ
ଅନାୟାସେ ଛିନ୍ନ କରିଦିଏ
ଲୌକିକ ସ୍ଥିତିରୁ ଓଟାରି ଆଣି
ସାମ୍ନା କରି ଠିଆ କରାଏ
ଚରମ ନଗ୍ନ ସତ୍ୟ ସମ୍ମୁଖରେ ,
କଳ୍ପନାରେ ଆବଶ୍ୟକ ନଥାଏ
ବସ୍ତ୍ର କିଂବା ଆଭୂଷଣର
ଆକର୍ଷଣର ଇନ୍ଦ୍ରଜାଲରେ
ଆସକ୍ତ ମନ ଝୁମୁଥାଏ
ନିର୍ବିକଳ୍ପ ପ୍ରେମର
ଉଷ୍ମ ଚୁମ୍ବନରେ
କୋରକିତ କଳି ମାନଙ୍କର
ଗହମ ନିଦରେ ।
ନୀଳ ଦହନର ଶୀତଳ ଧାସରେ
ଭରି ରହିଥାଏ ଗୋପନ ସିତ୍କାର
ପରିଚୟ ସୃଷ୍ଟି ହେଉଥାଏ
ମନୋମତ ସ୍ବୀକୃତିର--
ଅଲିଭା ଅକ୍ଷର.......
ଅଦୃଶ୍ୟରେ କେହି କରୁଥାଏ
ହୃଦୟରେ ଭିନ୍ନ ଏକ ପୃଥିବୀର
ଶାଣିତ ସ୍ଵାକ୍ଷର ।
ଋତୁ ସବୁ ବଦଳୁଥାନ୍ତି
ବିବର୍ତ୍ତନ ପ୍ରକ୍ରିୟା ରେ
ଇଛା ଚକ୍ର ଘୁର୍ଣ୍ଣାୟମାନ
ଚଳମାନ ସ୍ଥିତିରେ ଅଚାନକ
ବିରାଟ ଏକ ପରିବର୍ତ୍ତନ
ଅଗ୍ନିପରୀକ୍ଷା ବି ଲାଗେ
କ୍ଷୁଦ୍ର ଏକ ଜଳ ବୁଦ୍ ବୁଦ୍
ମନ ଧାଉଁଥାଏ ଛୁଇଁବାକୁ
କାଚ କାଂଥ ସେପାଖର
ନିଷିଦ୍ଧ ପୃଥିବୀ
ସମ୍ପର୍କର ଚୌହଦୀ ଲଂଘେ ବାରମ୍ବାର ,
ସଚରାଚର ଏମିତି ହିଁ ଘଟୁଥାଏ
ଅବିଶ୍ୱସ୍ତ ମନ ପ୍ରତିନୀତି
ଘନିଷ୍ଠ ଶଯ୍ୟାରେ ରଚୁଥାଏ
ନିଷିଦ୍ଧ ସମ୍ପର୍କ ଓ
ଅନାମିକା ଫୁଲର ବାସର ।
