ଅନ୍ତଃସ୍ଵର---------
ଅନ୍ତଃସ୍ଵର---------
ଅନ୍ତଃସ୍ଵର
------------
ଦୂର ଦିଗବଳୟେ
ପାଏ ନାହିଁ ଆଖି
ଧରଣୀକୁ ଯହିଁ ଆକାଶ ଛୁଏଁ,
ପୁଲକିତ କରି
ତନୁ ପ୍ରାଣ ମନ
ଭାସି ଆସେ ସେଠୁ ସଙ୍ଗୀତଟିଏ।
ବିହଙ୍ଗ କାକଳି
ସଙ୍ଗେ ସ୍ଵର ତୋଳି
ପୁଷ୍ପ ସୁରଭିରେ ମଣ୍ଡିତ ହୋଇ,
କର୍ଣ୍ଣ କୁହରକୁ
ନିନାଦିତ କରି
ମନ୍ଦ ମନ୍ଦ ସେହି ସ୍ଵର ଶୁଭଇ।
କିଏ ସେ ଗାଉଛି
ଦରଦୀ କଣ୍ଠରେ
ମଧୁର ସଙ୍ଗୀତ ମନକୁ ଛୁଇଁ ,
ବୁଝିପାରି ମୋର
ଅନ୍ତରର ଭାଷା
ଚାହିଁଲେ ବି ଯାହା କହି ନୁହଁଇ।
ରହିଲା ସେ ସ୍ଵର
ମୋ ହୃଦ- କନ୍ଦରେ
ତୋଳି ଦେଇ ଛୋଟ କୁଡ଼ିଆଟିଏ,
ମୋ ମନ ବୀଣାରେ
ତୋଳିଲା ସେ ସଦା
ସେନେହ ରାଗରେ ରାଗିଣୀଟିଏ।
ମୋ ମନ ତଳର
ଗଭୀର ସାଗରୁ
ସାଉଁଟିଲା ସିଏ ମଣି ମୁକୁତା,
ଦିକି ଦିକି କରି
ଜାଳିଦେଲା ସିଏ
ମୋ ମନ ମନ୍ଦିରେ ଆଶା ସଳିତା।
କୁଳୁକୁଳୁ ନାଦେ
ହୃଦ କନ୍ଦରରୁ
ଝରିଲା ସେ ସ୍ଵର ହୋଇ ଝରଣା,
ଦେଖାଇଲା ସିଏ
ବଞ୍ଚିବାର ରାହା
ଆଲୋକିତ କରି ମନ ଅଗଣା।
ନିରବ ନିଶ୍ଚଳେ
ବସି ଏକା ଏକା
ଖୋଜିଲି ମୁଁ ଯେବେ ସେହି ଶବଦ ,
ବାଣୀଦେବୀଙ୍କର
ବୀଣା ତାନ ସମ
ଅନ୍ତରୁ ଶୁଭିଲା ଓଁକାର ନାଦ।