ଅନ୍ତାକ୍ଷରୀ
ଅନ୍ତାକ୍ଷରୀ
ଦରହସା ଦେଇ ହାତ ଠାରେ
କେବେ ଆଲମାରୀ ଥାକରୁ
କେବେ ଟିପୟ ଉପରୁ
କେବେ ତକିଆ ତଳୁ
କେବେ ବନ୍ଦ ପଡିଥିବା କାଚ କବାଟ ତଳୁ
ଅଦ୍ଭୁତ ସମ୍ମୋହନ ସେ ଡାକରେ
ସେଥିରେ ମୁଁ ବନ୍ଧା
ଶୈଶବ ରୁ ଏ ଯାବତ
ଅଦୃଶ୍ୟ ବନ୍ଧନରେ . ............
ଭେଟ ହେଲାମାତ୍ରେ ଆଘ୍ରାଣରେ ମୋହକ ବାସ୍ନା
ଆଛନ୍ନ କରେ ;;;
ଆଗ୍ରହରେ ଛୁଇଁଯାଏ
ପୃଷ୍ଠା ପରେ ପୃଷ୍ଠା
ଶବ୍ଦ ମାନେ ଖେଳନ୍ତି ମୋ ଭାବନାରେ
ନିଜ ନିଜ ଅନ୍ତାକ୍ଷରୀ
ମସଗୁଲ ହେଇ ଯାଏ ମୁଁ
ଜୀବନରୁ ଜ୍ୟାମିତି ,
ଭାଷାରୁ ବିଜ୍ଞାନ ,
ହସ ରୁ ଇତିହାସ,
ପ୍ରେମ ରୁ ଅପ୍ରେମ ,
ବିରହରୁ ମିଳନ ,
ଦେହରୁ ବିଦେହ ,
ପ୍ରାପ୍ତିରୁ ଅପ୍ରାପ୍ତି ,
ମୋହରୁ ମୋକ୍ଷର
ପ୍ରଲମ୍ବିତ ଫର୍ଦ୍ଦରେ
ମୁଁ ଖୋଜେ ମୋ ପାଇଁ ଶବ୍ଦ ଠିକ ମୋ ପରି ।
ଅଦମ୍ୟ ଆକର୍ଷଣ ସ୍ତୁପୀକୃତ ଫର୍ଦ୍ଦ ମାନଙ୍କରେ
ସ୍ନିଗ୍ଧ ଆବେଦନ ପ୍ରଚ୍ଛଦ ପଟରେ
ମୁଁ ପ୍ରତିଥର ନିଜକୁ ଭୁଲେ
ଯେତେ ଥର ତାକୁ ଭେଟୁଥାଏ
ନୂଆ ନୂଆ ରୂପରେ , ଵିନ୍ୟାସରେ
ପଡୁଥାଏ ବାରବାର ବହିର ପ୍ରେମରେ
ଶବ୍ଦରୁ ଶବ୍ଦକୁ ଯୋଡି
ଅକ୍ଷରରୁ ଅନ୍ତରୀକ୍ଷ ଯାଏ
ଖେଳୁଥାଏ ଶବ୍ଦ ସହ ଶବ୍ଦର ଅନ୍ତାକ୍ଷରୀ
ମୋ ପରିଧିରେ
କେବେ ଜିତେ ତ କେବେ ହାରେ ।