STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଅନନ୍ୟ ସମ୍ପର୍କ

ଅନନ୍ୟ ସମ୍ପର୍କ

1 min
178

ଗାଆଁ ଶ୍ମଶାନ ମୋ ଚିର ସହଚର ଭୁଲି ପାରିବିନି କେବେ

ପିଲାଦିନୁ ମୋର ତା ସହ ସମ୍ପର୍କ ଥିଲା ବି ରହିଛି ଏବେ

ପ୍ରଥମ ଦେଖା ମୋ ହୋଇଲା ସେଦିନ ମୋ ଜେଜେ ତା କୋଳେ “ଶୋଇ

ଥିଲେ” ସେ ପ୍ରଥମ ଦେଖାରେ ମୋ ମନ ତା ପାଖରେ ଗଲା ରହି ।।


ତାପରେ ଦଦେଇ ଦେଠେଇଙ୍କୁ ନେଇ ତା କୋଳେ ସମର୍ପି ଦେଲି

ବୋଉକୁ ମୋହର କାନ୍ଧେ ନେଇ ଯେବେ ତା କୋଳେ ଶୁଆଇ ଥିଲି

ସେହି ଦିନ ଠାରୁ ତା ସହିତ ବେଶି ଅନ୍ତରଙ୍ଗ ହୋଇଗଲି

ଏବେ ଏବେ ସେ ତ ନନାଙ୍କୁ (ବାପା) ମୋହର ଆନନ୍ଦେ ନେଲା କୋଳେଇ ।।


ଏମିତିକା ସାଥି ଭୁଲିବି କେମିତି ତା ପରି ଆଉ କେ ନାହିଁ

ନିଜର ଲୋକଙ୍କୁ ସାଦରେ ନିଜର କୋଳରେ ନେଇ ଧରଇ

ନଶ୍ଵର ଶରୀର ଶିଥିଳ‌ ‌ହୋଇଲେ ନିଜ ଲୋକ ନଛୁଅନ୍ତି

ସେ ମହାତୀର୍ଥ ଆନନ୍ଦେ କୋଳାଏ ସେ ମୋ ଶମଶାନ ସାଥୀ ।।


ଗାଆଁ ଭାଇ ସାଥୀ ସହୋଦର ବନ୍ଧୁ ମାନ୍ୟ ଗଣ୍ୟ କେତେ ଯେତେ

ଚିର ନିଦ୍ରାରେ ଶୋଇଯାଇଛନ୍ତି ଆନନ୍ଦେ ସେ ମହାତୀର୍ଥେ

ଅଭୁଲା ସେ ମୋର କେମିତି ଭୁଲିବି ସବୁଠୁ ଲାଗେ ନିଜର

ତା ମନ ନିର୍ମଳ ମହାନ ହୃଦୟ ନିର୍ମଳ ତା’ର ଅନ୍ତର ।।


ତା ନାମ ଶୁଣିଲେ ମଣିଷ ମନରେ ଭୟର ହୁଏ ଉଦ୍ରେକ

ଗାଆଁର ଅଦୂରେ ନିର୍ଜନ ପ୍ରାନ୍ତରେ ତା’ର କାୟା ଅବସ୍ଥିତ

ମଙ୍ଗଳା ଙ୍କ ସହ ଚଣ୍ଡୀ ସେ କ୍ଷେତ୍ରର ଅଟନ୍ତି ତ ଅଧିଶ୍ଵର

ସେ ମହା ପବିତ୍ର ସେ ମହା ତୀର୍ଥ ମନେପଡେ ବାରମ୍ବାର ।।


ବେଳ ରତ ରତ ହେଲାଣି ଆସି ତ ସମୟ ଅଳପ ବାକି

ଉପଗତ ହେବ ଜୀବନେ ଅନ୍ଧାର ତାକୁ ତ ରହିଛି ଟାକି

ହେ ମହାତୀର୍ଥ ସାଦରେ ତୋ କୋଳେ କୋଳେଇ ନେବ ମୋ ଆଶା

ସେ ଦିନକୁ ଚାହିଁ ରହିଛି ତୁମେ ମୋ ମାଟି ଶରୀରର ବସା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍