ଅନେକ କିଛି ହଜିଗଲା ପରେ
ଅନେକ କିଛି ହଜିଗଲା ପରେ
ଅନେକ କିଛି ହଜିଗଲା ପରେ...
ଜୀବନର ଅନେକ ମୋଡରେ
ଅନେକ କିଛି ହଜିଗଲା ପରେ
ମୋ ଚାରିପାଖେ ଶୂନ୍ୟତାର ବଳୟ
ହଜିଛି ମୋ ପିଲାଦିନ, ଧୂଳିଖେଳ, ସାଙ୍ଗସାଥୀ
ଗାଁ ଚାଟଶାଳୀ, ମାଟିର ସିଲଟ
ଅଙ୍କାବଙ୍କା କାଦୁଅର ରାସ୍ତା
ହଜିଛି..ମୋ ବୋଉର ଉଷୁମ କୋଳ
ବର୍ଷା ପାଣିରେ ଭାସିଯାଇଥିବା କାଗଜର ଡ଼ଙ୍ଗା
ମାଟିଲିପା କାନ୍ଥରେ ବୋଉ ହାତ ଅଙ୍କା
ମାଣବସା ଗୁରୁବାର ଝୋଟିର ମାଧୁର୍ଯ୍ୟ
କେତେ ଅଳି ଅଝଟର ଦିନ
କେତେ ଅବୁଝାପଣ
ରାଗୠଷା ମାନ ଅଭିମାନ
ହସଖୁସି ମିଳାମିଶାର ମଧୁକ୍ଷରା ମୂହୁର୍ତ୍ତ
ଏତେ ସବୁ ହଜିଗଲା ପରେ...
ଶୂନ୍ୟତା ଭିଡ଼ରେ ଏକା ଏକା ମୁଁ
ସ୍ମୃତିର କାନଭାସରୁ ଧୂଳିଟିକେ ଝଡ଼ିଗଲେ
ଅତୀତ ଝରିପଡେ ଶୀତପାହାନ୍ତିର
ଆଞ୍ଜୁଳାଏ ଶେଫାଳିର ଭୁରୁ ଭୁରୁ ବାସ୍ନାରେ
ମନର ଶୂନ୍ୟ ଅଗଣାର ମାଟି ଛୁଇଁ
ଅତୀତର ସଞ୍ଜ ସକାଳ ମାନେ
କଡ ଲେଉଟାନ୍ତି ମୋ ସ୍ମୃତିର
ବାସି ବିଛଣାରେ
ପ୍ରାଣମୟ ହୋଇ ଯାଆନ୍ତି
ନିଥରି ଯାଇଥିବା ଦିନ ସବୁ
ସେ ସବୁକୁ ସାଇତି ରଖି ନପାରିବାର ଅସହାୟତାରେ
ଆକ୍ତା ମାକ୍ତା ହୁଏ ମନପ୍ରାଣ
ସବୁ ପ୍ରାପ୍ତିରେ ବି ଅପ୍ରାପ୍ତିର ଦୀର୍ଘଶ୍ୱାସଟିଏ ଘୂରିବୁଲେ
ଜୀବନର ପରିଧିକୁ ଛୁଇଁ ଛୁଇଁ
ହୃଦୟର ନିବୁଜ କୋଠରୀରୁ
କେହି ଜଣେ କହୁଥାଏ
ଫେରିଆସନ୍ତାନି ସବୁକିଛି ପୁଣି ଥରେ
ହାତ ପାହାନ୍ତାକୁ
ମୋର ସେ ଚିର ଇପ୍ସିତ ପିଲାଦିନ
ଆଉ ତାର ମଧୁମୟ ସ୍ମୃତି....
ମଞ୍ଜୁଲତା ସିଂ
ଭୁବନେଶ୍ୱର
