ଅନ୍ଧକାରର ନୀରବ ଆକର୍ଷଣ
ଅନ୍ଧକାରର ନୀରବ ଆକର୍ଷଣ
ଆଗରେ ପରସ୍ତ ପରସ୍ତ ବହଳ ଅନ୍ଧାର
ଚାରିକାନ୍ଥର ଅବରୁଦ୍ଧ ଜୀବନ
ଭିତରେ ଜୀଇଁବାର ସକଳ ଚେଷ୍ଟା
ନିଷ୍ଫଳ ଓ ନିରର୍ଥକ
ଆଲୋକର ଚକମକ ଖୋଳପା ଭିତରେ
ସବୁ ଯେମିତି ବିପର୍ଯ୍ୟସ୍ତ,
ଅସହାୟ ,ପଙ୍ଗୁ ଓ ଅଥର୍ବ ।
ପତ୍ରଝଡା ବରଗଛର କରୁଣ ଚିତ୍କାର
ତାଳେ ତାଳେ ଜହ୍ନ ମାମୁଁ ର ଗୀତ
ନାନାବାୟା କାହାଣୀର ପସରା
ସବୁଯେମିତି ଅନ୍ତଃସାରହୀନ
ଅୟୁତ ଦିନର ଆଖିର ଲୁହରେ
ଭିଜୁଥିବା ଜରାଜୀର୍ଣ୍ଣ ପାର୍ବଣର
ରଙ୍ଗହରା କୋଳାହଳ ।
ମୁଠା ମୁଠା ଶୂନ୍ୟତାର ଆଢୁଆଳେ
ବାୟା କଢେଇର ବସା ଦୋହୁଲୁଥାଏ
କାଳବୈଶାଖୀର ଅସରନ୍ତି ଘୂର୍ଣନରେ ,
ଧସେଇ ପଶେ ପାପୁଲିଏ ନିର୍ଜନତା
ଲେଖାହୁଏ ପବନ ଛାତିରେ
ନିଃସଙ୍ଗ ଉପତ୍ୟକାର ଇତିବୃତ୍ତ ।
ଯେତେ କୃତ୍ରିମ ଆଲୋକର ଆବରଣ
ପାରିବକି ଦୂର କରି ସେ ସୀମାହୀନ
ଅନ୍ଧକାରର ଅସ୍ତିତ୍ବ ?
ଅହଙ୍କାରର ନାଗଫାଶରୁ
ପାରିବକି ହୋଇ ମୁକ୍ତ
ଜୀଇଁବାର ରାସ୍ତା ଖୋଜୁଥିବା
ନିରୁକ୍ତ ଜୀବନ ?
ପାରିବକି ମାପି ସେ ଶୂନ୍ୟ ବୃତ୍ତର
ବ୍ୟାସ କି ବ୍ୟାସାର୍ଦ୍ଧ ?
ଶୁଣିଛ କି କେବେ ନିରୋଳାରେ
ନିର୍ଜନ ରାତିରେ କଣ୍ଠ ଫଟେଇ
ଚିତ୍କାର କରୁଥିବା
ସମୁଦ୍ରର ଗମ୍ଭୀର ଗର୍ଜନ ?
ବେଳାଭୂଇଁର ବୁକୁ ଛୁଇଁବାକୁ
କେତେ ଯେ ସଂଘର୍ଷ ତା'ର
ଅବାରିତ ପ୍ରଚେଷ୍ଟାରେ କେବେ କେବେ
ସ୍ନିଗ୍ଧ ଶିହରଣ , ପୁଣି କେବେ
ଅନ୍ଧକାରର ନୀରବ ଆବରଣ ।
ବେଳେ ବେଳେ ବିଶ୍ବାସର ନଟେଇରୁ
ଲମ୍ବିଯାଏ ସୂତାଖିଅ ଆକାଶର ପ୍ରଶସ୍ତ ଛାତିକୁ
ଅନ୍ଧକାରର ଅନ୍ଧାରୀ ଛାତିରେ
କେତେ ଯେ କାହାଣୀ ଲେଖା ହୁଏ
ଜୀବନ ଓ ଯନ୍ତ୍ରଣାର
ଆଉ ଲୁହ ଓ ଲହୁର,
ନିର୍ଜନ ଦ୍ବୀପରେ ଶୁଭେ ବଂଶୀର
ଅନାବିଳ ସୁର
ଅନ୍ଧାରର ବି ହସୁଥାଏ କିରିକିରି
ସ୍ପଷ୍ଟ ଜହ୍ନ ଆଲୋକରେ,
ନୀରବତା ଗାଉଥାଏ ଅନାବନା ଲୋରି
ପାହାନ୍ତିଆ ପ୍ରହରର cଛାତିରେ ।।
