ଅଂଧଗଳି
ଅଂଧଗଳି
କବି ବିଜୟ କୁମାର ବାରିକ
ରାଜଧାନୀରେ ଅଂଧାରର ରଂଗ ଟିକେ ଗାଢ ହୋଇଗଲେ
ବଢିଯାଏ କଞ୍ଚା-ମାଂସର ଦର,
ରକ୍ତିମ ଦାରିଦ୍ର୍ଯତାର ଶକ୍ତ ପଞ୍ଝାରୁ ଟିକେ ନିସ୍ତାର ପାଇଁ
କେହି ଜଣେ ଚାଲି ଆସେ ଅଂଧେରି ଇଲାକାକୁ,
ସେଇଠି ସେ ରାତି ତମାମ୍ ନିଲାମ୍ କରେ ଦେଖିଥିବା
ପରସ୍ତ ପରସ୍ତ କୁଆଁରି ସ୍ୱପ୍ନକୁ,
ସମୟର ଭଂଗା ସିଲଟରରେ ଲୁହ-ଲହୁରେ ତାକୁ
ଲେଖିବାକୁ ହୁଏ ଜୀବନର ବର୍ଣ୍ଣବୋଧ,
ଅନେକ ଦେହର ଗଂଧରେ ଭିଜିଥିବା ସେଜରେ ତାକୁ
ବାରମ୍ବାର ଶୋଇବାକୁ ପଡେ,
ବାବୁ ବାବୁଆଙ୍କ କଳା ଟଂକା ର ଲହ ଲହ ଜିଭରେ ତାକୁ
ବାରମ୍ବାର ତୃଷ୍ଣା ମେଣ୍ଟାଇବାକୁ ପଡେ,
ଯେତେବେଳେ ମଦ-ମାଂସର ଉତ୍କଟ ଗଂଧରେ ଜଳି
ଉଠେ କାମନାର ହୋମାଗ୍ନି,
ସେତେବେଳେ ସୀମାନ୍ତରେ ଯୁଦ୍ଧ ଲାଗିଯାଏ
ରାତି ସହ ରକ୍ତର / ପୂଣ୍ୟ ସହ ପାପର,
ଆଲୁଳାୟିତ କେଶ / ଲୋଚା କୋଚା ସେଜ
ଗଭାରୁ ଖସିପଡିଥିବା ରଜନୀ-ଗଂଧାର
ମଲା ଦେହରେ ସେ ଦେଖିପାରେ,
କେତେ ହିଂସ୍ର ଥିଲା ସେ ଦାନବର ଝିଣିଲା ପଣ
କେତେ ଗଭୀର ଥିଲା ସେ ଅଂଧେରି ଯନ୍ତ୍ରଣା
କେତେ ଅଣାୟତ୍ତ ସେ ଅପରିଚିତ ମୂହୁର୍ତ୍ତ,।।
------*------
