ଅନ୍ଧାରର ଅପମୃତ୍ୟୁ
ଅନ୍ଧାରର ଅପମୃତ୍ୟୁ
ନୀଳସୁନ୍ଦର ମୁକ୍ତ ଆକାଶରେ
ଚତୁର୍ଦ୍ଦିଗରେ ମହକିତ ବିହ୍ଵଳିତ ସୁରଭି ।
କାଳ କାଳ ଧରି ତନ୍ମଧ୍ୟରୁ
ସୃଷ୍ଟି ହେଉଥାନ୍ତି ଅନେକ ଲକ୍ଷ୍ମୀ ସରସ୍ଵତୀ
ବେଳେବେଳେ ଅନ୍ଧକାର ଚିରି
ଉଭାହୁଅନ୍ତି କାହିଁକି ଦୁର୍ଗା ଆଉ କାଳୀ ?
ସଭ୍ୟତାର ଉତ୍କର୍ଷତାରେ ବି
ଅଣାୟତ୍ତ କାମାଗ୍ନିର ହୁତାଶନ
ଲିଭିପାରିନି ରାବଣ ଓ ଦୁଃଶାସନ ଆଖିରୁ ।
ପ୍ରତ୍ୟହ ଶୁଣାଯାଏ ଯାଜ୍ଞସେନୀର ଚିତ୍କାର
ରାତ୍ରି ଲେଖିଚାଲିଛି ଅଶୋକବନରେ
ସୀତାଙ୍କ ଅଶ୍ରୁଧାର ।
ଅସୁରକ୍ଷିତ ହୋଇପଡ଼ିଲାଣି
ବିବଶ ମେଦିନୀ
ଚେଷ୍ଟା କରୁନି ବୁଝିବାକୁ
ନିଷ୍ପାପ କଳିକାର
ମୁକୁଳିତ ହେବାର ମନର ଉଚ୍ଛ୍ବାସକୁ ।
ଖିଲି ଖିଲି ହୋଇ ଖେଳିଉଠୁଥିବା
ଶୈଶବର ଆସନ୍ନ ସୁଖଟା କାହିଁକି
ଆଖିବୁଜିବାକୁ ବାଧ୍ୟ ହେଉଛି
ଚିରଦିନ ପାଇଁ,
କଳଙ୍କର ମୁହାଣରେ କୂଳ ଲଙ୍ଘୁଥିବା
ଉତୁଙ୍ଗ ଯୌନଲାଳସାରେ ଜୁଡୁ ବୁଡୁ
ରକ୍ତପିପାସୁ ଜିହ୍ବାର ଉଚ୍ ଶୃଙ୍ଖଳତାରେ ?
ସଦ୍ୟ ପ୍ରସ୍ଫୁଟିତ ପୁଷ୍ପଟିଏ
ସମର୍ପିତ ହେବାପୂର୍ବରୁ
ଝାଉଁଳି ପଡ଼ିଛି ପ୍ରତିଦିନର ଖବରରେ
ଅନାୟାସରେ ପଡ଼ିଯାଉଛି ବଳି
ମହିଷାସୁରର ଆସୁରିକ ପ୍ରବୃତ୍ତିର
ନଗ୍ନ ଅଭିଳାଷରେ ।
ବଳାତ୍କାରିତ ହୋଇପଡ଼ିଲାଣି ଶୈଶବ
ଫାଟିଯାଉଛି ବସୁଧା
ରକ୍ତାକ୍ତ ଧାରାରେ ପ୍ରବାହିତ ଉଷ୍ମତାରେ ।
ଲହୁଲୁହାଣରେ ଜର୍ଜରିତ ସମାଜ
ଖୋଜିପାଉନି ଏଯାବତ୍
ସରଳ ସୁହୃଦ ପଥଟିଏ ।
କେଉଁ ପ୍ରକାରର ଅସମର୍ଥତା ଭିତରେ ?
କେଉଁ ଭିନ୍ନ ଗ୍ରହର ମଣିଷ ଚାପରେ ?
କାଳ କାଳର ଅପେକ୍ଷା ଉପେକ୍ଷା ମଧ୍ୟରେ
କଣ ଶୋଭାପାଉଛି ତୋତେ
ଦିଗହୀନ ପରିଚର୍ଯ୍ୟାର ଅଭିନୟ ?
ମୁହଁରେ ପ୍ରଲେପ ମାଖି
ଦାନ୍ତରେ ଜିଭ କାମୁଡ଼ି
ଆଲୁଅରୁ ଅନ୍ଧାରକୁ
ଆଡ଼େଇ ହୋଇଚାଲିବୁ କେତେକାଳ ?
ପ୍ରେମଜନିତ ଅପମୃତ୍ୟୁର ଦ୍ବାହି ଦେଇ
ସଂଳାପ ଭିତରେ ପୀଡ଼ିତାର ପ୍ରଳାପକୁ
ଆଉ କେତେଦିନ
ତଣ୍ଟି ଚିପି ଚାଲିଥିବୁ ?