ଅମୃତମୟ ଉତ୍କଳ (୧୯)
ଅମୃତମୟ ଉତ୍କଳ (୧୯)
ପ୍ରକୃତି ଶୋଭାର ଗନ୍ତାଘର ମୋର ନାନାଜାତି ଫୁଲ ପସରା
ମେଲାଇ ବସନ୍ତେ ଫୁଲବାଣୀ ଦିଶେ ସତେ କି ସେ ସ୍ଵର୍ଗ ଅପ୍ସରା ।।
ଭୂସ୍ଵର୍ଗ ସମାନ ଦାରିଙ୍ଗବାଡି ୟେ ସୋରିଷ କୁସୁମେ ଶୋଭିତ
ନବଯଉବନୀ କିଶୋରୀ ସୁନ୍ଦର ସମ ଦୃଶ୍ୟ ହୁଏ ପ୍ରତୀତ ।।
ଶୀତ ଶରତରେ ଜୀର୍ଣ୍ଣ ଧରଣୀରେ ନନ୍ଦନ କାନନ ବିରାଜେ
ବିକଶିତ ମୂର୍ତ୍ତି ଜୀବନ୍ତ କି “ଜଡ ସଂସାରେ” ବିଧାତା ସରଜେ ।।
କର୍ଣ୍ଣ ଗହ୍ୱରରେ ଧ୍ଵନିତ ହୁଅଇ ଆଦିମ ମାନବ ସଂଗୀତ
ବାଣୀ ବୀଣା ତାର ଅମୃତ ଝଙ୍କାର ସମ ହେଲା ମୋର ପ୍ରତୀତ ।।
କଳିଙ୍ଗା ଘାଟିର ମନୋରମ ଦୃଶ୍ୟ ନିତ୍ୟ ବସନ୍ତ ର ବିଚାର
ମନେ ଉଙ୍କି ମାରେ ଦରଶନ ମାତ୍ରେ ନାଚିଉଠେ ହୃଦ କନ୍ଦର ।।
ପାଟଖଣ୍ଡା ଠାକୁରାଣୀ ମହାମାୟୀ ମଣିମୟ ରତ୍ନ ଆସନେ
ପଣତ କାନିରେ ଘୋଡାଇ ରଖିଛି ବନବାସୀ ବନ କାନନେ ।।
ହଳଦୀ କିଆରୀ ଫୁଲ ବାସନାରେ ମହକି ଉଠେସେ ଭୁବନ
ବାବା ବିରୁପାକ୍ଷ ଆଶିଷ ପରସେ ଉନ୍ମୋଚିତ ଜ୍ଞାନ ନୟନ ।।
ପୂଣ୍ୟତୋୟା ମହାନଦୀ ବଉଦର ରାଜବାଟୀ ପାର୍ଶ୍ଵେ ଧାବିତ
ଝରେ ଝର ଝର ଅମୃତ କି ଅବା ତରଳ ରଜତ ପ୍ଳାବିତ ।।
ଜଲେଶପଟ୍ଟାରେ ଜଳେଶ୍ଵର ବାବା ଲକ୍ଷ୍ମଣାନନ୍ଦ ସରସ୍ୱତୀ
କନ୍ୟାଶ୍ରମ ତାଙ୍କ ଅମୃତମୟ ଯେ କି ସୁନ୍ଦର ତାହାର କାନ୍ତି ।।
ବେଲଘର କାଷ୍ଠ ନିର୍ମିତ ବଙ୍ଗଳା ଅପୂର୍ବ ଶୋଭାର ପସରା
ଉତ୍କଳ ବର୍ଦ୍ଧକି ସ୍ଵହସ୍ତ ନିର୍ମିତ ତା କାରୁକାର୍ଯ୍ୟ ହସ୍ତକଳା ।।
ଅମ୍ଵର ଚୁମ୍ଵିତ ମହୀଧର ଚୟ ଶ୍ୟାମଳ ସୁଘଞ୍ଚ ବନାନୀ
ଦିଗନ୍ତ ବିସ୍ତୃତ ଭୂଲୋକେ ତା ଦ୍ଵୀତି ମେଘରେ ଯଥା ସୌଦାମିନୀ ।।
ଉତ୍କଳମାତାର ସର୍ବ ଶିରୀ ଶୋଭା ଏହି ଭୁବନେ ବିଦ୍ୟମାନ
ତା କୋଳେ ଜନମୀ ନିଜକୁ ମଣଇ ମୁଁ ସତେ କେଡ଼େ ଭାଗ୍ୟବାନ ।।
