ଅମୃତମୟ ଉତ୍କଳ (୧୭)
ଅମୃତମୟ ଉତ୍କଳ (୧୭)
ମୋ ଉତ୍କଳର ଉତ୍କର୍ଷତା, ବର୍ଣ୍ଣନା କରିବା ବଡ଼ ଧୃଷ୍ଟତା
ତା' ଯେତେ ଅମୃତ କଥା,
କେମିତି ବର୍ଣ୍ଣିବି ସାଦା କାଗଜରେ
କଲମ କି ମୋର କହିବ କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।।
ଚିଲିକା ନୀଳ ଜଳରେ, ତରଙ୍ଗ କେମିତି ପବନେ ଖେଳେ
ସେ ଚିତ୍ରର ବୈଚିତ୍ରତା,
ଉତ୍କଳ କମଳା ବିଳାସ କକ୍ଷ ୟେ
ମରାଳ ମଳିନୀ ଶୋଭା ଅନନ୍ତା, ୟେ ମୋ ଉତ୍କଳର ଉତ୍କର୍ଷତା ।।
କାଳିଜାଈ ପରବତ, ତା ମହିମା ପରା ବିଶ୍ଵେ ବିଖ୍ୟାତ
ଚିଲିକା ରାଣୀ ମୋ ମାତା,
ଜୀବନ୍ତ ଦେବୀ ମୋ ମାଆ କାଳିଜାଈ
ବିପଦେ ଆପଦେ ଦିଅଇ ଆଶ୍ରା, ୟେ ମୋ ଉତ୍କଳର ଉତ୍କର୍ଷତା ।।
ତା ନୀଳ ଜଳରେ ଖେଳେ, ଶିଶୁମାର ସାଥେ ମଗର ମେଳେ
ଛବି ପାଲଟଣା ଡଙ୍ଗା,
ଚିତ୍ର ମଣେ ସିନା ଏ ନୁହଇ ଚିତ୍ର
ଜୀବନ୍ତ ମନ୍ମୟ ୟେ ଚିତ୍ରଗାଥା, ୟେ ମୋ ଉତ୍କଳର ଉତ୍କର୍ଷତା ।।
ଚଢ଼େଇହଗା ପାହାଡ, ଜୀବନ୍ତ ଚିତ୍ର ୟେ “ଚିଲାକା ଜଳ
ଭିତରୁ” ଟେକିଛି ମଥା
ଆଶ୍ରୟ ଦେଇ ସେ ପକ୍ଷୀ ପଲ ପଲ
ଘଣ୍ଟଶିଳା ସଙ୍ଗେ ହୁଅଇ କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।।
ଶାଳିଆ ନଈର ଧାର, ଝରି ଯାଏ ହୋଇ ଚଳଚଞ୍ଚଳ
ତା ଜଳେ ଖେଳେ ସବିତା
ଜୋଛନା ବିଧୌତ ରଜନୀରେ ଜହ୍ନ
କୁତୂହଳେ କହେ ପ୍ରେମର କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।।
ଅମୃତମୟ ଏମନ୍ତ, ଉତ୍କଳ ହୋଇଛି ଯେ ରୁଦ୍ଧିମନ୍ତ
ୟେ ତେଣୁ ବିଶ୍ଵ ବନ୍ଦିତା,
ତା ଅମୃତ କୋଳେ ଜନମ ମୋହର
କି କହିବି ତା’ର ଅମୀୟ କଥା, ୟେ ମୋ ଉତ୍କଳର ଉତ୍କର୍ଷତା ।।
