ଅମାବାସ୍ୟା
ଅମାବାସ୍ୟା
ଅମାବାସ୍ୟା ହେଲେ ହୁଅଇ ଅନ୍ଧାର ରାତି
ସଭିଙ୍କ ମନରେ ଭରିଦିଏ ସିଏ ଭୀତି।
ବରଷକେ ପଡେ ବାରଗୋଟି ଅମାବାସ୍ୟା
ପାଳନେ ଦୂର ହୋଇବ ସମସ୍ତ ସମସ୍ୟା।
ଆସ ଆସ କୁନା ମୁନା ତୁମେ ଟିପି ରଖ
କେଉଁ ମାସେ ପଡେ କେଉଁ ଅମାବାସ୍ୟା ଦେଖ।
ବୈଶାଖରେ ରୁକ୍ମିଣୀ ଜ୍ୟେଷ୍ଠ ମାସେ ସାବିତ୍ରୀ
ଆଷାଢେ ନବ ଯୌବନ ଦର୍ଶନେ ଧରିତ୍ରୀ।
ଧନ୍ୟ ହୋଇ ପାଳଇ ଶ୍ରାବଣେ ଚିତାଲାଗି
ଦିଅଙ୍କୁ ସନ୍ତୁଷ୍ଟ କରି ବର ନିଏ ମାଗି।
ଭାଦ୍ରବେ ଶ୍ରୀମନ୍ଦିରେ ଵସ୍ତ୍ର ହରଣ ଲୀଳା
ଆଶ୍ୱିନେ ମହାଳୟା ଶ୍ରାଦ୍ଧ କରନ୍ତି ଭଲା।
କାର୍ତ୍ତିକେ ଦୀପାବଳୀ ମନ ହରଷେ ପାଳି
ବଡ଼ ବଡୁଆଙ୍କୁ ଡାକନ୍ତି ସରବେ ମିଳି।
ମାର୍ଗଶୀରେ ମହୋଦଧି ଅମାବାସ୍ୟା ଦିନ
ଦେଵ ଦୀପାବଳୀ କରନ୍ତି ସଭିଏଁ ପାଳନ।
ପଉଷ ମାସେ ବକୁଳ ଅମାବାସ୍ୟା ଆସେ
ଆମ୍ବ ଗଛରେ ପେନ୍ଥା ପେନ୍ଥା ବଉଳ ଦିଶେ।
ମାଘେ ପଡଇ ତ୍ରିବେଣୀ ଅମାବାସ୍ୟା ଜାଣ
ତ୍ରିବେଣୀ ଘାଟରେ ଜନେ କରନ୍ତି ସ୍ନାନ ଦାନ।
ଫାଲଗୁନ ଅମାବାସ୍ୟା ପରେ ଉଡାଇ ଧ୍ଵଜା
ଚଇତ୍ର ଅମାବାସ୍ୟା ବାସନ୍ତିକ ଦୁର୍ଗା ପୂଜା।
ପାଳିଥାନ୍ତି ଜନେ ନିଶି ପାଳନ ସହିତେ
ବଖାଣନ୍ତି ସବୁ ପାଞ୍ଜିକାର ଜନହିତେ।
ନିଷ୍ଠାର ସହ ପାଳିବା ଆମର ଧରମ
ନିୟମାନୁସାରେ ଆମେ କରିବା କରମ।
ଏହିଦିନ ଆକାଶେ ନ ଦିଶେ ଚାନ୍ଦ ମାମା
ଭୁଲିବନି ଏକଥାକୁ ତୁମେ କୁନା ମୁନା।
