ଅମୄତମୟୀ ବର୍ଷା
ଅମୄତମୟୀ ବର୍ଷା
1 min
238
ମେଘ ରାଇଜର ରାଜକୁମାରୀ ଗୋ
ଧରାରେ ପଡିଲ ଝରି,
ନିଦାଘରୁ କ୍ଷାନ୍ତ ହୋଇଲା ଧରଣୀ
ଲଭି ତବ ସୁଧା ବାରି ।
ଜୀବ ତରୁଲତା ଚାତକ ପରାୟେ
ରହିଥିଲେ ପଥ ଚାହିଁ,
ସ୍ନିଗ୍ଧ ଶିହରଣେ ପୁଲକିତ ହେଲେ
ତବ ପ୍ରୀତିସ୍ପର୍ଶ ପାଇ ।
ସବୁଜ ଶାଢ଼ୀଟି ପିନ୍ଧିଣ ଧରଣୀ
ହେଉଥିଲା ଆନମନା,
ରଙ୍ଗ ବେରଙ୍ଗର ପୁଷ୍ପେ ଅଳଙ୍କୃତା
ଅପରୂପା ଯଉବନା ।
ଘଡଘଡି ବାଦ୍ୟ ବାଜିଲା ଗଗନେ
ବିଜୁଳୀ ରୋଷଣୀ କଲା,
ମେଘ ମାଳ ମାଳ ଚାନ୍ଦୁଆ ହୋଇଣ
ଗଗନକୁ ଢାଙ୍କି ଦେଲା ।
ଅମୃତର ଛିଟା ସିଞ୍ଚିଣ ଧରାରେ
ପରାଣେ ପରାଣ ଦେଲ,
ବର୍ଷା ଗୋ ତୁମେ ଅମୃତମୟୀ
କେ ଆଙ୍କିବ ତୁମ ମୂଲ ।