ଅଳସୀ କନ୍ୟା
ଅଳସୀ କନ୍ୟା
କେବେ ଦେଖିଛ?
ମନ୍ଦିର ଗାତ୍ର ରେ ପର୍ଯ୍ୟଟକ, ଦେଖଣାହାରୀ ଙ୍କ ଦୃଷ୍ଟି ଆକର୍ଷଣ କରୁଥିବା
ପ୍ରେମ ରଙ୍କୁଣୀ ହାସ୍ୟ ଲାସ୍ୟ ମୟୀ କନ୍ୟା କୁ ।
କେଉଁଠି ବି ଉନ୍ମକ୍ତ ଯୌବନା
କାମ ଶର ମାରି ନିବେଦନ କରୁଥାଏ ଉଛୁଳା ପ୍ରେମ କୁ
ମୈଥୁନତା ପୁଷ୍କରିଣୀ ରେ ବୁଡି ବୁଡି ।
ସେମାନଙ୍କ ସରୁ ଚାହାଣୀ
ଅନ୍ୟ ମନସ୍କ ମରୁ କାହାଣୀ,
ପ୍ରତି ବାଣୀ ଅସ୍ପଷ୍ଟ ବାଣୀ,
ପ୍ରତି ଅଙ୍ଗ ରତି ଢଙ୍ଗ,
ପ୍ରତି ଇଙ୍ଗିତ ରତି ଅଙ୍କିତ,
ପ୍ରତି ଦ୍ଵାର ବନ୍ଧ ରତି ଦ୍ଵାରା ଅନ୍ଧ ।
ମାନବ ସୃଷ୍ଠି ପର୍ଯ୍ୟାୟ ର ପହିଲି ପାଖୁଡ଼ା ରେ
ସୃଷ୍ଟି ବ୍ରହ୍ମା ନିଜ ର ଇଛା ଓ ଚେତନା ଶକ୍ତି କୁ ଜାଗ୍ରତ କରି ଯେମିତ ଗଢି ଥିଲେ
ଅପୂର୍ଣ୍ଣତା ରେ ଅଭିନ୍ନତା,
ପୂର୍ଣ୍ଣତା ରେ ଯୁଗ୍ମତା
ମନୁ ଶତ ରୂପା ଦ୍ବୟ ଙ୍କୁ, ମୈଥୁନ ମୂର୍ତ୍ତୀ କୁ
ଠିକ୍ ସେଇମିତି
ଶିଳ୍ପୀ ମାନସ ପଟର ରୁ ଖପ୍ ଖପ କରି ଡେଇଁ ପଡନ୍ତି
ଏକକ ଉପାସକ ଷୋଡ଼ଶୀ କନ୍ୟା ଅଳସୀ ଅନନ୍ୟା ମହିୟସୀ ଉଲଗ୍ନ। ।
ନିହାଣ ମୁଗୁର ର ଠକ୍ ଠକ୍ ଶାବ୍ଦିକ ମୁନ ରେ
ଫୁଟି ଉଠେ କାମ କଳା ରୂପୀ କଳ୍ପନା କୁମାରୀ,
ଏମିତି ବି ହୁଏ ଖସଡ଼ା ଶବ୍ଦ ରୁ ଲମ୍ବିଯାଏ
ପାଦ ର ପାଉଁଜି ଯାଏଁ
ଲଜ୍ୟା ର ମଞ୍ଜି ଯାଏଁ ।
କାହିଁ କେତେ ଯୁଗ ରୁ
ପଥର କାନ୍ଥ ରେ ଆଉଜି ହୋଇ
ଝଡ ବନ୍ୟା ବାତ୍ୟା ଖରା ତରା ସହି
ପ୍ରୀତି ନିବେଦନ କାରିଣୀ ଏକକ ମୈଥୁନ ମୂର୍ତ୍ତୀ
ଚାହିଁ ରହିଛନ୍ତି ଜଳ ଜଳ ହୋଇ
ନାନ୍ଦନିକତା, ଧାର୍ମିକତା, ଶିଳ୍ପ ଭାସ୍କର୍ଯ୍ୟ ର ଦ୍ୱାହି ଦେଇ,
ଯକ୍ଷ ଗନ୍ଧର୍ବ କିନ୍ନର ଙ୍କ ଆତ୍ମ ତୃପି ପାଇଁ,
ଜୀବନ ସଂସ୍କୃତି ର ପ୍ରତିନିଧିତ୍ଵ ଟିଏ ହୋଇ,
ଆତ୍ମ ସଞ୍ଜମତା ର ଦିଗ୍ ଦର୍ଶିକ ଟିଏ ହୋଇ,
ଚିର ଦିନ ପାଇଁ
ଯୁଗ ସାକ୍ଷୀ ଟିଏ ହୋଇ ପ୍ରୀତି ଭାବ ବହି ।