ଅଲିଭା ମୁକତି ସଳିତା
ଅଲିଭା ମୁକତି ସଳିତା
ରାଶି ରାଶି ବିଭୋର ଭାବନାରେ
ନିୟନ୍ତ୍ରିତ ଶବ୍ଦର ଶିକୁଳୀ ଯେ
ସତ ଚେଷ୍ଟିତ
ବାନ୍ଧିବାକୁ ଆଉ ଛନ୍ଦିବାକୁ
ସମର୍ପିବାକୁ ନିଜକୁ ଅମୃତର ସନ୍ଧାନ ଦିଶାରେ ।
କାଳ ବୈଶାଖୀର ବିକଟାଳ ଆଁ ରେ ବି କରୁଣତା
ଜାପାନୀ ଭୂକମ୍ପ ପରି ଆର୍ତ ଚିତ୍କାରର ବେହିସାବ
ଝଡ ଆଉ ଅଶ୍ରୁର ପ୍ଲାବନ ମୌସୁମୀ ।
ତଥାପି ପ୍ରଶ୍ନ ନାଇଁ ଥକି ପଡିବାର
ଯେପର୍ୟ୍ଯନ୍ତ ଥିବ
ମନସ୍କ ଏ ହୃଦୟର ବିଭୋର ଭାବନା
ଆପେ ଆପେ ଗଢିହେବ ରାଶି ରାଶି ଶବ୍ଦ ଆଉ
ଧାଡି ଧାଡି ପ୍ରୀତିର କବିତା ।
ବାର୍ଧକ୍ଯର ନିର୍ଘାତ୍ ପ୍ରହାର
କଡମଡ ଅନ୍ଟା ଆଉ ପିଠି, ହାତ ଆଉ ଗୋଡ
ତଥାପି
ଆଶାର ବନ୍କୁଳୀ ବାଡିରେ ହୁଏ ସାହାରା,
ଏଇ ଆଶାର କଥା ହିଁ ତ କହେ କବିତା ।
କବିତା
ଶଙ୍କାର ମୁନିଆ ଧାରରେ
ସେ ଅଭୁଲା ସ୍ବାମୀର ବୁକୁରେ ଜଳୁଥିବା
ଦୁଷ୍କର୍ମର ଚିତା କେବଳ ନୁହେଁ ।
କବିତା
ଅଗ୍ନିକୁ ସାକ୍ଷୀ ରଖିଥିବା
ପବିତ୍ର ବନ୍ଧନ
ବାଡୁଅ ପାଣିରେ ସଜା ହଳଦୀରେ
ସମ୍ପର୍କର ଚିହ୍ନ ।
କବିତା
ଫଗୁଣର ଫଗୁ ରଙ୍ଗେ ଭିଜା ଭିଜା ବାସ୍ନା କୁସୁମରେ
ଶିହରାଉଥିବା ତନୁ ମନର ଫଗୁଣୀ,
କବିତା
ବିଶ୍ବାସର ବାଦଲରୁ ଝରି ଆସୁଥିବା
ଆଶାର ଭରସାରେ ବର୍ଷୁ ଥିବା ଶ୍ରାବଣୀ ।
ହଁ , ମୁଁଁ ତ କହି ପାରିବିନି ଯେ,
କବିତା ଫଗୁଣୀ କି ଶ୍ରାବଣୀ ।
ହେଲେ ଯାହା ବି ହେଉ
କବିତା
ତୃଷ୍ନା ଆଉ ବିତୃଷ୍ନାରେ ତୋଷୁଥିବା ତୃପ୍ତିମୟୀ |
କବିତା
ଜ୍ବଳନ୍ତା ଦ୍ବିପ୍ରହରରେ ହୀରୋସୀମା ନାଗାସାକିର
ବିଧ୍ବସ୍ତ ମୁଦ୍ରିତ ସତ୍ବେ
ସବୁଜ ବିପ୍ଳବର ଆହ୍ବାନ ଏ କବିତା
କବିତା
ପୁଜେଇ ଥିବା ବ୍ରଣ ପରି
ସାମାନ୍ଯ ନଖରେ ବିଦାରିବା ଭଳି
ଦେଶରେ ଢୋ ଢା ଗୁଳି ଫାଟିବାର ଆଭାସ ନୁହେଁ ।
ବରଂ
ଆଶା ଆଉ ଆଶ୍ବାସନା ସହ
ଶାନ୍ତି ଆଉ ସବୁଜିମାର,
ବିଶ୍ବାସ ଆଉ ବିବେକର
ନିସ୍ତୁକ ନିର୍ଘଣ୍ଟ ଏ କବିତା
ସେଇଥି ପାଇଁ ତ ଏ କବିତା
ଅଲିଭା ମୁକତି ସଳିତା
ଅଲିଭା ମୁକତି ସଳିତା ।
