ଅକ୍ଷୟ ତୃତୀୟା
ଅକ୍ଷୟ ତୃତୀୟା
ତିଥି ଅନୁକୂଳ, ଯାତ୍ରା ଅନୁକୂଳ
ସର୍ବ ଅନୁକୂଳ ସିଦ୍ଧି,
ବଇଶାଖ ମାସ ଶୁକଳ ପକ୍ଷ ର
ପବିତ୍ର ତୃତୀୟା ତିଥି....||
ଅନେକ ପରବ ରହିଅଛି ଆମ
ଓଡ଼ିଆ ସଂସ୍କୃତି ଟିରେ,
ପୁରୁଷାନୁକ୍ରମେ ପାଳିଆସୁଛନ୍ତି
ସର୍ବେ ହରଷ ମନରେ...||
ବଳରାମ ଆଉ ରେବତୀ ବିବାହ
ହୁଏ ଆଜ ଦିନେ ଜାଣ,
ସୂର୍ଯ୍ୟଦେବ ଆଜି ଯୁଧିଷ୍ଠିର ହସ୍ତେ
ଅକ୍ଷୟ କଳସ କଲେ ଅର୍ପଣ...||
କୃଷକ କରଇ ଅନୁକୂଳ କ୍ଷେତେ
ଆରମ୍ଭିବ କ୍ଷେତ କାମ,
ଜଗନ୍ନାଥ ଙ୍କର ଯାତରା ନିମନ୍ତେ
ଆରମ୍ଭ ରଥ ନିର୍ମାଣ ର କର୍ମ...||
ବିବାହ ବ୍ରତ ଓ ଗୃହ ପ୍ରବେଶ ର
କାର୍ଯ୍ୟ ହୁଅଇ ସମ୍ପର୍ଣ୍ଣ,
ବେପାର ବାଣିଜ୍ୟ ସର୍ବ ଶୁଭ କାର୍ଯ୍ୟର
ଅନୁକୂଳ ଏହି ଦିନ...||
ପର୍ଶୁରାମ ଙ୍କର ଜନମ ଦିବସ
ଶିରୀମନ୍ଦିରେ ଚନ୍ଦନ ଯାତ,
ବୃନ୍ଦାବନେ ବାଙ୍କ ବିହାରୀ ଙ୍କ ପଦ
ଦର୍ଶନ କରନ୍ତି ଭକ୍ତ....||
ସୂର୍ଯ୍ୟ ଓ ଚନ୍ଦ୍ରମା ଉଚ୍ଚ ରାଶି ଟିରେ
ହୁଅନ୍ତି ଅବସ୍ଥାପିତ,
ଦାନ ଧର୍ମ ଆଦି ଶୁଭ କର୍ମ କଲେ
ହୁଅଇ ସୌଭାଗ୍ୟ ପ୍ରାପ୍ତ....||
ମହାଭାରତ ର ଗ୍ରନ୍ଥ ର ଆରମ୍ଭ
କରିଥିଲେ ବେଦବ୍ୟାସ,
ଏହିଦିନ ଗଙ୍ଗା ଧରାପୃଷ୍ଠେ ଅବତରି
ଦେଇଥିଲେ ଆଶୀର୍ବାଦ...||
ଦେବୀ ଦୁର୍ଗା ଯୁଦ୍ଧେ ମହିଷାସୁର କୁ
ପରାଜୟ କରିଥିଲେ,
ନାନା ପୁଣ୍ୟ କାର୍ଯ୍ୟ ଏହି ଦିବସ ରେ
ହୋଇଥିଲା ଜାଣ ଭଲେ....||
ଅତୀବ ପବିତ୍ର ଦିବସ ଓ ତିଥି
ଅଟଇ ଅକ୍ଷୟ ତୃତୀୟା,
ଭକ୍ତି ଭାବନା ରେ ପୂଜିଲେ ପ୍ରଭୁଙ୍କୁ
ମିଳିଥାଏ ତାଙ୍କ ଦୟା....||
