ଅଜାମିଳ ଉପାଖ୍ୟାନ
ଅଜାମିଳ ଉପାଖ୍ୟାନ


କାନ୍ୟକୁବ୍ଜ ନାମେ ଦେଶରେ
ଥିଲା ଏକ ବ୍ରାହ୍ମଣ,
ନୈଷ୍ଠିକ ସାତ୍ବିକ ବେଦଜ୍ଞ
ଅତି ନୀତି ନିପୁଣ ।।
ବ୍ରାହ୍ମଣ କର୍ମକୁ ଆଚରି
ଦିନ ବିତାଏ ସୁଖେ
ବେଦ ମନ୍ତ୍ର ହୋମ ଯଜ୍ଞରେ
ମନ ମଜ୍ଜାଇ ରଖେ ।।
ତାତ ମାତ ଭାର୍ଯ୍ଯା ଘେନିଣ
ସୁଖ ସଂସାର ତାର,
ପିତା ମାତା ଆଜ୍ଞା ପାଳନେ
ସଦା ଥାଏ ତତ୍ପର ।।
ଅଜାମିଳ ନାମ ତାହାର
ଦିନେ ପିତା ଆଦେଶେ,
ଅରଣ୍ଯେ ପଶିଲା ସମିଧ
କୁଶ ଯୋଗାଡ଼ ଆଶେ ।।
ଫେରିବା ସମୟେ ଦେଖିଲା
ଏକ ଶୁଦ୍ର ଯୁବକ,
ବାର ନାରୀ ସଙ୍ଗେ ରମଇ
ହୋଇ ମଦିରା ମତ୍ତ ।।
ଏହି ଦୃଶ୍ୟ ଦେଖି ହୋଇଲା
କ୍ରମେ କାମ ଆସକ୍ତ,
କାମାତୁରେ ନିଜ ବିବେକ
ବୁଦ୍ଧି କରିଲା ନଷ୍ଟ ।।
ଭୁଲି ପିତା ମାତା ଭାର୍ଯ୍ଯା ର
ଯେତେ ସମ୍ପର୍କ ମାନ,
ବାର ନାରୀ ପ୍ରେମେ ଆତୁର
ହୋଇ ବାନ୍ଧିଲା ମନ ।।
ସେହି ବେଶ୍ୟା ସହ ଗଢିଲା
ଏକ ନୂଆ ସଂସାର,
ତାର ମନ ତୋଷି କରଇ
ନାନାଦି ବ୍ୟଭିଚାର ।।
ହତ୍ୟା ମିଥ୍ୟା ପର ଲୁଣ୍ଠନ
ପର ପୀଡ଼ା କରଇ,
ଚୈ।ର୍ଯ୍ଯ ବୃତ୍ତି କୁ ସୁଖ ମଣି
ମଦ୍ଯ ମାଂସ ଭକ୍ଷଇ ।।
ଯେତେ ସୁକୃତ ରହିଥିଲା
କ୍ରମେ ହୋଇଲା ଶେଷ,
ପାପ ପଙ୍କେ ପଡି ଗଚ୍ଛିତ
କଲା ଯେତେ କଳୁଷ ।।
ଏମନ୍ତେ ଦିନେ ସାଧୁ ଜନେ
ଯାଉଥିଲେ ସେ ବାଟେ,
ଖାଦ୍ୟ ଯାଚନା କରି ଗୃହେ
ଅଟକିଲେ ଦୈବାତେ ।।
ଯାହା ଥିଲା ଗୃହେ ସାଧୁଙ୍କୁ
ଫଳ ଆହାର ଦେଇ,
ବିଦା ହେବା ପାଇଁ ତାହାଙ୍କୁ
ଅଜାମିଳ କହଇ ।।
ଦକ୍ଷିଣା ମାଗନ୍ତେ ସାଧୁଙ୍କୁ
କହେ ସେ ଦୁରାଚାରୀ,
ସାଧୁ ବୋଲି ଖାଲି ଲୁଟିନି
ଗଣ୍ଠିଲି କୁ ତୁମରି ।।
ଏ ବାକ୍ୟେ ବୁଝିଲେ ମହାତ୍ମା
ଏ ଅଟେ ମହା ପାପୀ,
ମୃଦୁ ହସି ଅଜାମିଳ କୁ
ଧୀର ସ୍ବରେ କହନ୍ତି ।।
ତୋ ଭାରିଯା ଗର୍ଭେ ରହିଛି
ଯେଉଁ ପୁତ୍ର ସନ୍ତାନ,
ଦକ୍ଷିଣା ବଦଳେ ତା ନାମ
ଦେବୁ ତୁ ନାରାୟଣ ।।
ମୂଢ ପଣେ ହସି ତହିଁରେ
ହେଲା ସେ ସହମତ,
ସାଧୁ ଗଲେ ନିଜ ବାଟରେ
ଦିନେ ଜନ୍ମିଲା ସୁତ
।।
ମନେ ପଡି ସାଧୁ ବଚନ
ନାରାୟଣ ନାମରେ,
ସ୍ନେହରେ ଡାକଇ ପୁଅକୁ
ଅତିବ ଆନନ୍ଦରେ ।।
ଦିନୁଁ ଦିନ ପୁତ୍ର ମୋହରେ
ପଡି ସବୁ ପାଶୋରି,
ନାରାୟଣ ବୋଲି ଡାକଇ
ପୁତ୍ର ନାମ ଉଚ୍ଚାରି ।।
ଚନ୍ଦ୍ର କଳା ପରି ବଢଇ
ଦିନୁଁ ଦିନ କୁମର,
ତା ମୋହେ ପଡି ଅଜାମିଳ
ହୋଇ ଉଠେ ବିଭୋର ।।
ଶୟନେ ସ୍ବପନେ ଭୋଜନେ
ନାରାୟଣ କୁ ଖୋଜେ,
ନାରାୟଣ ସେବା ଯତ୍ନରେ
ଦିବା ଶର୍ବରୀ ହଜେ ।।
ଏଥୁ ଅନ୍ତେ ତାର ମରଣ
କାଳ ହେଲା ପ୍ରବେଶ,
ଯମ ଦୂତେ ଆସି ଗଳାରେ
ଲଗାଇ ଦେଲେ ଫାଶ ।।
ଯମ ଦୂତ ଙ୍କର ବିକଟ
ରୂପ କରି ଦର୍ଶନ,
ବିକଳେ ଡାକିଲା ପୁଅକୁ
ରଖ ହେ ନାରାୟଣ ।।
ଏ ଡାକ ଶୁଣନ୍ତେ ତତ୍ କ୍ଷଣେ
ପ୍ରବେଶି ବିଷ୍ଣୁ ଦୂତ,
ଯମ ଦୂତ ଙ୍କର ହାତରୁ
ପ୍ରାଣ କରାଇ ମୁକ୍ତ ।।
ବଖାଣିଲେ ତାଙ୍କ ଆଗରେ
ବିଷ୍ଣୁ ନାମ ମହିମା,
ନାରାୟଣ ନାମ ଉଚ୍ଚାରି
ପାପୁ ପାଇଛି କ୍ଷମା ।।
ବିଷ୍ଣୁ ଦୂତ ଙ୍କର ବଚନେ
ବାହୁଡି ଯମ ଦୂତ,,
ଯମ ରାଜା ଆଗେ କହିଲେ
ଘଟି ଥିବା ବୃତ୍ତାନ୍ତ ।।
ବେନି ପକ୍ଷ ଦୂତ ମଧ୍ୟରେ
ସେ କଥୋପକଥନ,
ଶୁଣି ଅଜାମିଳ ବିସ୍ମୟେ
ବିସ୍ତାରିଲା ନୟନ ।।
ଫାଶ ମୁକ୍ତ ହୋଇ ଜୀବନ
ପୁଣି ପିଣ୍ଡ ରେ ପଶେ,
ଜ୍ଞାନ ଫେରିବାର ସଙ୍କେତେ
ଅଦୃଶ୍ୟ ବିଷ୍ଣୁ ଦୂତେ ।।
ତହୁଁ ଅଜାମିଳ ହୃଦୟେ
ଜ୍ଞାନ ଉଦୟ ହେଲା,
ପୂର୍ବ କୃତ କର୍ମ ସୁମରି
ପଶ୍ଚାତାପେ ଜଳିଲା ।।
ସବୁ ମୋହ ଛାଡ଼ି ତତ୍ କ୍ଷଣେ
ଗୃହ ତେଜି ଚଳିଲା
ହରିଦ୍ବାରେ ଗଙ୍ଗା କୂଳରେ
ଯାଇ ଯୋଗ ସାଧିଲା ।।
ଅଳପ ଦିନରେ ଗଙ୍ଗା ରେ
ଛାଡି ନିଜ ଶରୀର,
ବିଷ୍ଣୁ ଦୂତ ସଙ୍ଗେ ପ୍ରବେଶ
ହୋଇଲା ବିଷ୍ଣୁ ପୁର ।।
ଅଜାମିଳ ଉପାଖ୍ୟାନ ଏ
ଅଟେ ଅମୃତ ରସ,
ଅଜାମିଳ ପରି ପାତକୀ
କଲା ସ୍ବର୍ଗେ ନିବାସ ।।
ନାରାୟଣ ନାମ ମହିମା
ଭାଗବତ କାହାଣୀ,
ମନ କର୍ଣ୍ଣ କର ପବିତ୍ର
ଏହି ଗାଥା କୁ ଶୁଣି ।।