ଐତିହ୍ୟ ଆମର
ଐତିହ୍ୟ ଆମର
ଐତିହ୍ୟ ଆମ ବଂଶ ବୁନିଆଦୀ
ଐତିହ୍ୟ ଆମ ଭାଷ୍ୟ ,
ଜୀବନ ପଥେ ଦିଗବାରେଣୀ ସେ
ସମୟ କରେ ଲାସ୍ୟ ।
ଅତୀତ ଛାତି ଚିରି
କେଉଁ ପୂଣ୍ୟ ବଳେ ଜୀବନ ଧନ୍ୟ
ହସୁଥାଏ କିରି କିରି ।
ଐତିହ୍ୟ ଆଉ ପରମ୍ପରା ଆମ
ସଜଳ ଜୀବନ ଧ୍ୟେୟ
ସତ୍ୟ ଶାନ୍ତି ପ୍ରୀତି ପୀଉଷେ
ଲାଗୁଥାଏ ମଧୁମୟ ।
ପୂଣ୍ୟ ପଥରେ ଚଳି
ଦୁଃଖର ଦିହୁଡି ଭିତରୁ ଉଇଁବ
ସୁଖର ସୂରୁଜ ଝଳି ।
କେଉଁ ଇତିହାସ ଅମର ହୋଇଛି
ଆଜି ବି ଭୂବନ ତଳେ
କଳିଙ୍ଗ ସାଧବ ବୋଇତ ବନ୍ଦାଣ
ଘୃତର ଦୀପାଳି ଜଳେ ।
ପାନ ଗୁଆ ପ୍ରେମେ ଥୋଇ
ସୂମନ ସଜ୍ଜିତ ପାଟୁଙ୍ଗା ଡଙ୍ଗାକୁ
କୁଳ ବଧୁ ବନ୍ଦୁଥାଇ ।
ବାରବାଟୀ ଦୁର୍ଗେ ଦୁର୍ଗ ନରପତି
କିଏ କେତେ ଗଲେ ହଜି
କେତେ ସେ ପାଷାଣ ଶୈବାଳ ପ୍ରାଚୀର
ଅକାଳେ ପଡିଛି ଭାଜି ।
ଏଇ ମହାନଦୀ ତୀରେ
ଚଣ୍ଡାଶୋକ ରଣ ଯବନର ପଣ
ପ୍ରତିଧ୍ବନି କାହା ସ୍ବରେ ।
କଳିଙ୍ଗ ସାଧବ ଦରିଆ ବୁକୁରେ
ମେଲିଛି ବୋଇତ କେତେ
ଅସୁମାରୀ ଧନ ଆଣିଛି ସେ ବୋହି
ବିଭବ ହେବାକୁ ବିତ୍ତେ ।
ହୋଇଛି ସେ ବାଲି ରାଜା
ଓଡିଆ ପୁଅ ମୋ ଯଶ ଓ ଗୌରବ
କରୁ ତାର ସ୍ମୃତି ପୂଜା ।
କେତେ ଯେ ବିପଣୀ କେତେ ଯେ ରୋଷଣୀ
ଶୋହେ ମହାନଦୀ କୂଳେ
ଏ ବାଲି ଯାତରା ନାମରେ ନାମିତ
ଐତିହ୍ୟ ଆମର ଝଳେ ।
ମାଆ ମଙ୍ଗଳା ସୁମରି
ବୋଇତ ବନ୍ଦାଣ ସ୍ମୃତି ଜାଗରଣ
କାର୍ତ୍ତିକ ପୂର୍ଣ୍ଣିମା ବରି ।।