ଅହଂକାର
ଅହଂକାର
କପଟ ପାଶାର ଘୋର ଅହଂକାରେ
ଯୁଦ୍ଧ ବିଭୀଷିକା ଆସିଲାମାଡି,
କୌରବ ବଂଶ ନାଶ ଗଲା ପୁଣି
ଘୋର ଅନ୍ଧକାର ଗ୍ରାସ କଲା ଅହଂକାର କୁହୁଡ଼ି।
ଅହଂକାର ଶବ୍ଦ ପ୍ରକୃତିରୁ ଜାତ
ଈଶ୍ୱର ମନୁଷ୍ୟ ମଧ୍ୟରେ ଦେଲେ,
ପାଞ୍ଚମନ ପଚିଶି ପ୍ରକୃତି ମଧ୍ୟରୁ
ଏକ ବୋଲି ତାକୁ ସ୍ଥାନ ରଚିଲେ ।
ମନର ଭାବନା ମଧ୍ୟରେ ସର୍ବଦା
କରିଥାଏ ଯିଏ ତାକୁ ଅଣାୟତ୍ତ,
ଏଇ ଅହଂକାର କରେ ନାରଖାର
ସୃଷ୍ଟି ନାଶ ଯାଏ ସମ୍ପର୍କ ହୁଅଇ ତିକ୍ତ ।
ସରଳ ମନରେ ଟିକିଏ ଗରଳ ଭରି
ଅମୃତର ଭାଣ୍ଡ ମୃତ ସମାନ ହୁଅଇ,
ପବିତ୍ର ଭାବନା ମଧ୍ୟେ ଅହଂକାର
ନିମିଷକେ ସବୁ ଚୁରମାର କରଇ ।
ରୂପ, ଧନ, ମାନ, ଯୌବନ ଅହଂକାରେ
ଯଦି ଏ ମନୁଷ୍ୟ ମନୁଷ୍ୟତା ତେଜଇ,
ବିସ୍ମରଣ ହୁଏ ସର୍ବଦା ଏ କଥା
ମଥା ପରେ ତାର କାଳ ହସଇ ।
ସବୁ ତ ଅଳିକ ମାନ ସନମାନ ସୁନା ରୂପା ଗହଣା
ଅସ୍ଥିର ଏ କଥା ସତ୍ୟ ଅଟଇ,
ହୃଦ ମଧ୍ୟେ ପବିତ୍ର ଭାବନା ସ୍ଥାପିଲେ
ଏ ଭୁବନ ସଦା ହସି ଉଠଇ ।
ପୁରାଣ ଯୁଗରୁ ଏ କଥା ପ୍ରମାଣ
ହୋଇଛି ଏ କଥା ମନୁ ନୁ ଭୁଲି ଯାଇ,
ଅତି ଗର୍ବେ ସ୍ଵର୍ଣ୍ଣିମ ଲଙ୍କା ହେଲା ହତଲଙ୍କା
ପୁରାଣ ପୋଥିରେ ରଚନା ହୋଇ ।
ଅହଂକାର ବାହୁସ୍ପଟେ କଂସ ମାମୁଁ
ମହାପ୍ରୟାଣ ଲଭିଲା,
କାଳ କାଳକୁ ମାମୁଁର ଚରିତ୍ରେ
କାଳିମା ଲାଗିଲା ।
ଦୁଇପାଦ ଭୂମି ମାଗି ନାରାୟଣ
ବଳି ରାଜାକୁ ପାତାଳି କରିଲେ,
ଦ୍ରୌପଦୀର ଅହଂକାର
କୁରୁ ସଭାସ୍ଥଳେ ବିବସନା ହେଲା ।
ଅହଂକାର ନୁହେଁ ମନୁଷ୍ୟ ଭୂଷଣ
ଏ ଅପୂର୍ବ ଦୁର୍ଲଭ ମନୁଷ୍ୟ ଜନ୍ମର,
ସବୁ ଅତିର ତ ଇତି ହୁଏ
ଉଛୁଳାଇ ଦିଏ ନଦୀର ଝର ।
ମନୁ ତେଜି ଅହଂକାର ଗର୍ବ
ସରଳ ଟିକିଏ ହୋଇଲେ,
ମିଠା ମିଠା କଥା ଓଠରୁ ଝରିଲେ
ଏ ସଂସାରେ ଶାନ୍ତି ଚହଟିବ ଭଲେ l
