ଅଗ୍ରପୂଜ୍ୟ ଗଜାନନ
ଅଗ୍ରପୂଜ୍ୟ ଗଜାନନ
ଜୟ ପ୍ରଭୁ ଗଜାନନ ହର ଗଉରୀ ନନ୍ଦନ
ଅଗ୍ରପୂଜ୍ୟ ବିନାୟକ ମାନସ ପୁତ୍ର
ବିଘ୍ନରାଜ ସିଦ୍ଧି କର୍ତ୍ତା ଲମ୍ବୋଦର ଜ୍ଞାନଦାତା
ମହାଜ୍ଞାନୀ ଗଣପତି ମହାପଣ୍ଡିତ ।
ବିଦ୍ୟା ବୁଦ୍ଧି ଶୁଭ ଦାୟକ
ବିଘ୍ନ ବିନାଶକାରୀ ସର୍ବଜନ ତାତ ।୧।
ମନ୍ତ୍ରହୀନ କ୍ରିୟାହୀନ ବିଦ୍ୟା ବୁଦ୍ଧି ଜ୍ଞାନ ଶୂନ୍ୟ
ଚରଣେ ଶରଣ ପଶେ ମୁହିଁ ଅଜ୍ଞାନ
ସୂର୍ଯ୍ୟପ୍ରଭା ସମକୋଟି ଦିଅ ପ୍ରଭୁ ଜ୍ଞାନ ଜ୍ୟୋତି
ଅଜ୍ଞାନ ତିମୀର ନାଶ ହେ ଗଜାନନ ।
ତୁମର କରୁଣା ବାରିରେ
ଦୂର ହେଉ ଦୁଃଖ କଷ୍ଟ କରେ ଜଣାଣ ।୨।
ଧନ୍ୟ ତବ ଜନ୍ମ କାଳ ଆଦି ପରାଶକ୍ତି ବାଳ
ବିଧିର ବିଧାନ କେବେ ହେବ କିବା ଆନ
ହର ପାର୍ବତୀ ବିଚ୍ଛେଦ ପ୍ରଭୁ ତୁମ ଜନ୍ମ ଭେଦ
ଦେବତା ଶରୀରେ ବହି ଗଜ ଆନନ ।
ଧନ୍ୟ ତୁମ ଜନମ ଲୀଳା
ମଙ୍ଗଳ ଦାୟକ ହେ ବିଘ୍ନ ବିନାଶନ ।୩।
ଜାଣି ଉମାପତି କୋପ ଉମା ହୁଅନ୍ତେ ବ୍ୟଥିତ
ମହେଶ୍ୱର ବିରସରେ ହୋଇଲେ ରୋଷ
ହର ଗଉରୀ ବଚସା ହୃଦୟେ ଭରିଲା ବ୍ୟଥା
ଅନ୍ତରୁ ନିଷ୍ଠୁର ବାଣୀ ହେଲା ପ୍ରକାଶ ।
ତ୍ୟାଗ କର କୈଳାଶପୁର
ପ୍ରାଣପ୍ରିୟା ପାର୍ବତୀଙ୍କୁ ଦେଲେ ନିର୍ଦ୍ଦେଶ ।୪।
କ୍ରୋଧେ ହେଲେ ଉତ୍ତେଜିତ ହରିହର ଭୋଳନାଥ
ବିରହୀ ହୋଇଲେ ଉମା ବିନା ଦ୍ୱିଧାରେ
ଛାଡିଲେ କୈଳାସପୁରୀ ଜଗତ ମାତା ଶଙ୍କରୀ
ଦୁଃଖ ଅଭିମାନ ଶଙ୍କା ନେଇ ସାଥିରେ ।
ଦେବର୍ଷିଙ୍କ ଅନୁରୋଧରେ
ତପସ୍ୟା ନିମନ୍ତେ ସ୍ଥିର କଲେ ଚିତ୍ତରେ ।୫।
ମାତାଙ୍କ ସ୍ନାନ ବେଳର ମୂର୍ତ୍ତି ଅଙ୍ଗ ମଉଳିର
ଜୀବଦାନ ଦେଲେ ବିଷ୍ଣୁ ନେଲ ଜନମ
ଗୁମ୍ଫା ଗହ୍ୱରେ ତପସ୍ୟା ଆଚରିଲେ ସତୀ ମାତା
ଦ୍ୱାର ଜଗୁଆଳି ହେଲ ହେ ଗଜାନନ ।
ପାଳିଲ ମାତାଙ୍କ ଆଦେଶ
ପ୍ରବେଶ ପଥରେ ପିତା ନେଲେ ଜୀବନ।୬।
ପ୍ରଭୁ ଭୋଳା ମହେଶ୍ୱର ପ୍ରବେଶି ଗୁମ୍ଫା ଗହ୍ୱର
ଦେଖନ୍ତେ ମା ମହେଶ୍ୱରୀ ତପସ୍ୟା ରତ
ତପସ୍ୟା କରିଲେ ଭଗ୍ନ ଦେବୀ ହେଲେ ଚିନ୍ତା ମଗ୍ନ
ପଚାରିଲେ କେଉଁ ପଥେ ଆସିଲ ନାଥ ।
ଦ୍ୱାରଦେଶରେ ଜଗୁଆଳି
ଥିଲା ଆମ ଆଜ୍ଞାଧୀନ ମାନସ ପୁତ୍ର ।୭।
ଶୁଣି ପାର୍ବତୀଙ୍କ ବାଣୀ ଶିବ କହିଲେ ବଖାଣି
ପଥ ଓଗାଳନ୍ତେ ରଣେ ହୋଇଣ ମତ୍ତ
କ୍ରୋଧେ ହୋଇ ଉତ୍ତେଜିତ ତ୍ରିଶୁଳେ ଛେଦି ମସ୍ତକ
ପ୍ରବେଶିଲି ଭିତରେ ମୁଁ କରି ନିହତ ।
କ୍ଷମା କର ମୋତେ ଭବାନୀ
କ୍ରୋଧାଗ୍ନିକୁ ମୋ ହୋଇଗଲା ଅଣାୟତ୍ତ ।୮।
ଶୁଣି ହରିହର ବାର୍ତ୍ତା କ୍ରନ୍ଦନେ ପାର୍ବତୀ ମାତା
ଅଥୟ ଚିତ୍ତରେ ଧାଇଁ ଦେଖନ୍ତେ ଯାଇ
ପ୍ରିୟ ପୁତ୍ର ଗଣନାଥ ପଡିଛି ହୋଇ ଭୂମିଷ୍ଠ
ମସ୍ତକ ବିହୀନ ଦେହ ପଡିଛି ଶୋଇ ।
ଧର୍ଯ୍ୟହରା ହୋଇଲେ ମାତ
ରୋଦନ କରିଲେ ପୁତ୍ର କୋଳକୁ ନେଇ ।୯।
ହର ହେଲେ ଚିନ୍ତାଗ୍ରସ୍ତ କେମିତି ବଞ୍ଚିବ ପୁତ୍ର
ବିନା ମସ୍ତକରେ କେବେ ସମ୍ଭବ ନୁହଁ
ଶୈଳଜା କରନ୍ତି ଅଳି ଉଠ ମୋ ଧନ ଶଙ୍ଖାଳି
କେମିତି ବଞ୍ଚିବି ମୁହିଁ ସହିବ ଦେହ ।
ଆହେ ପ୍ରଭୁ ଚନ୍ଦ୍ରଶେଖର
ଦୟାବହି ପୁତ୍ରକୁ ମୋ ଫେରାଇ ଦିଅ ।୧୦।
ଚିନ୍ତାମଗ୍ନେ ମହାଦେବ ଶୁଣି ପାର୍ବତୀଙ୍କ କ୍ଷୋଭ
ବିନୟେ କହିଲେ ଶୁଣ ହେ ପ୍ରାଣପ୍ରିୟା
ମସ୍ତକ ମିଳିଲେ ମୋତେ ଯୋଡି ଦେଇ ନିଜ ହାତେ
ଜୀବଦାନ ଦେବି ଦେବୀ କର ହେ ଦୟା ।
ଶୁଣି ଭୋଳାନାଥଙ୍କ ବାଣୀ
ଉପାୟ କହିଲେ ଶମ୍ଭୁପାଣିଙ୍କ ଜାୟା ।୧୧।
ଶୁଣ ଆହେ ପ୍ରାଣନାଥ ହୋଇଥିବ ନବଜାତ
ପ୍ରଥମ ସନ୍ତାନ ଜନ୍ମ କରି ସେ ମାତ
ସନ୍ତାନକୁ ପଛେ ଶୋଇ ପଶ୍ଚିମକୁ ମୁଣ୍ଡ ଦେଇ
ପୁତ୍ର ସଙ୍ଗେ ମାତା ତାର ଥିବ ନିଦ୍ରିତ ।
ପୁତ୍ରର ଛେଦନ ମସ୍ତକ
ଯୋଡ଼ିଦେଲେ ବଞ୍ଚିଯିବ ଆମର ପୁତ ।୧୨।
ଶୁଣି ମାତାଙ୍କର ବାଣୀ ନନ୍ଦୀ ଭୃଙ୍ଗୀ ଗଲେ ପୁଣି
ଖୋଜି ପାଇଲେ ଶେଷରେ ଗଜ ସନ୍ତାନ
ପଶ୍ଚିମକୁ ମୁଣ୍ଡ ଦେଇ ଆରାମରେ ଛନ୍ତି ଶୋଇ
ସଙ୍ଗେ ସଙ୍ଗେ ଶିଶୁ ଶିର କଲେ ଛେଦନ ।
ପହଞ୍ଚିଲେ ଗୁମ୍ଫା ଦ୍ୱାରରେ
ଶିର ଗଣ୍ଡି ଯୋଡି ଶମ୍ଭୁ ଦେଲେ ଜୀବନ ।୧୩।
ଲୀଳା ଦେଖି ଦେବଗଣ କରିଲେ ପୁଷ୍ପ ବର୍ଷଣ
ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଥିଲା ସେହି ଜନ୍ମ ତିଥି
ବିଦ୍ୟା ବୁଦ୍ଧି ଦାତା ତୁମେ ଶୁଭଦାୟକ
ଅଗ୍ରପୂଜ୍ୟ ଗଣପତି ସକଳ ଘଟରେ ସ୍ଥିତି
ମଙ୍ଗଳ ଦାୟକ ତୁମେ ବିଘ୍ନନାଶକ ।
ମୂଷିକ ବାହନେ ବିରାଜି
ବିଶ୍ୱ ମଙ୍ଗଳରେ ତୁମେ ଗଣନାୟକ ।୧୪।
