ଅଦୃଶ୍ୟ ଲୀଳା
ଅଦୃଶ୍ୟ ଲୀଳା
ଆହେ ଜଗନ୍ନାଥ ଶ୍ରୀଲକ୍ଷ୍ମୀ କାନ୍ତ
ରତ୍ନ ସିଂହାସନେ ବସ
ଚକାନୟନକୁ ଉନମୁକ୍ତ କରି
ରଂଗା ଅଧରରେ ହସ ।
ବଡ ଦିଅଁ ବୋଲି ହୁରି ପଡିଅଛି
ଚଉଦିଗେ ସେବା ପୂଜା
ବଡଦେଉଳରେ ପତିତପାବନ
ଉଡୁଅଛି ବଡ ଧ୍ବଜା ।
ଜଗତ କଲ୍ୟାଣ ନିମନ୍ତେ ସାଆନ୍ତ
ଭ୍ରାତା ଭଗିନୀଙ୍କ ସାଥେ
ନିଜ ମନ୍ଦିରର ସୁରକ୍ଷା ଦାୟିତ୍ବ
କିମ୍ପା ନ ନେଇଛ ହସ୍ତେ ।
ଦୁର୍ମତି ତସ୍କର ମନ୍ଦିର ଭିତରେ
ରଚିଗଲା ଯେଉଁ କାଣ୍ଡ
ଜଳ ଜଳ କରି ଚାହିଁ ବସିଥିଲ
କରମ କଲା ପାଷାଣ୍ଡ ।
ଲକ୍ଷ୍ମୀ ପୁରାଣରେ ନିଜେ ଚୁଲି ଭାଂଗି
ହୋଇଥିଲ ହନ୍ତସନ୍ତ
ଶିକ୍ଷା ଲାଭ କରି ଦୁର୍ବୃତ୍ତ ମାନବ
ଦେଲା ଦାରୁଣ ଆଘାତ ।
ସମୟକୁ ଯିଏ ବାନ୍ଧିଛି ହାତରେ
ଆଜି ସମୟ ହାତରେ ବନ୍ଧା
ମହାପ୍ରସାଦର ବିଳମ୍ବର ହେତୁ
କରୁଥାନ୍ତି ଅପନିନ୍ଦା ।
ଗୋଟି ଗୋଟି କରି ଚୁଲି ସେ ଭାଂଗିଲା
ଜାଣି ନ ପାରିଲେ କେହି
କି ଅଦୃଶ୍ୟ ଲୀଳା ରଚାଇଲ ପ୍ରଭୁ
ଅନ୍ତର୍ଯ୍ୟାମୀ ଭାବଗ୍ରାହୀ ।
ପ୍ରତି ଅବତାରେ ଦୁଷ୍ଟକୁ ନାଶିଛ
ସନ୍ଥକୁ ପାଳିଛ ହରି
ଅତି ଶୀଘ୍ର ଏହି ଉଦଣ୍ଡ ମାନବେ
ଶାସ୍ତି ଦିଅ ନରହରି ।
