ଶିଶୁ
ଶିଶୁ
କୋମଳମତି ଚପଳମତି ଅବୁଝା ସେଇ ଶିଶୁ
ପର ଆପଣା ବୁଝେନି କିଛି ସମସ୍ତଙ୍କ ସହ ମିଶୁ
ତା'ର କାହାକୁ ନ ଥାଏ ଡର
ଲୋକେ କହନ୍ତି ,ସେ ପରା ଭଗବାନ ଅବତାର
ଥାଉ ନ ଥାଉ ଦେହରେ ଜାମା,
ପିଲା ଠାରୁ ବୁଢା ଗେଲ କରନ୍ତି
ଗାଲରେ ଦିଅନ୍ତି ଚୁମା
ବଡ ଲୋକ ନିଶ ଉପାଡି ଦିଏ,
ତା'ର ଖାତିରି ନଥାଏ ଜମା
ଧନ୍ୟ ବାଳକୃଷ୍ଣ ରୂପ ,
ଦର୍ଶନାଭିଳାଷୀ ଶିବ ଆସିଥିଲେ
ଦେଖିବାକୁ ଅପରୂପ
ଯଶୋଦା ମା ଚିହ୍ନି ପାରିଲେନି
ସେ ଜଟିଆ ବାବାଙ୍କ ରୂପ
ପୋକ ଜୋକ ଅବା ବିଛା ସାପକୁ
ନ ଥାଏ ଟିକେ ଭୟ
ଗୁରୁଣ୍ଡି ଗୁରୁଣ୍ଡି ଆଣ୍ଠୁଆ ଗୋପାଳ
ତା' କୁ ଧରିବାକୁ ଅଥୟ
ସେ ତ ଜାଣେନି କିଛି କଥା
ଚାଲିଚଳନ ହସ ଓ କାନ୍ଦ ,ଦେଖି
ଆଇ ବୁଢି ର ଘୁରି ଯାଉଥାଏ ମଥା
ଛନ୍ଦ କପଟ ଜାଣେନା କିଛି ଜାଣେନା ଲଜ୍ଜା ମାନ
ମା ଙ୍କର ସେ ନୟନତାରା ବାପାଙ୍କ ପ୍ରିୟ ଚନ୍ଦନ
ନ ଥାନ୍ତି ତା' ର ଅତି ପ୍ରିୟଜନ ନ ଥାନ୍ତି କେହିଶତୃ
ମର୍ତ୍ତ୍ୟ ଭୁବନ ଆସିଛି ,ଦିନେ ହୋଇବ ଅଜାତଶତୃ ।
