ଅଧର କୋଣରୁ
ଅଧର କୋଣରୁ
ମନର ଭାଷାକୁ ପଢିବାକୁ ହେଲେ
ମୁଖ ଦରପଣ ଲୋଡା
ଦେଖିଦେଲେ ଥରେ ବାରି ହୋଇପଡେ
ହୃଦୟର କିସ ଲୋଡା।
ପ୍ରତିବିମ୍ବ ଆମ ଫୁଟି ଉଠେ ପରା
ମୁଖେ ପ୍ରତିଛବି ହୋଇ
ଦୁଃଖ ହେଉ ଅବା ସୁଖର ସମ୍ଭାର
ଜାଣି ହୋଇଯାଏ ଦେଖି।
ଅଧର କୋଣରୁ ଝରିପଡେ ଯେବେ
ମୁକୁତା ବିନ୍ଦୁର ହସ
କିଣିନିଏ ମନ ଆପଣାର କରେ
ମୁଚୁକୁନ୍ଦ ଦରହାସେ।
ପଦ୍ମ ପାଖୁଡାରୁ ଝରିପଡେ ଯେହ୍ନେ
ସୌନ୍ଦର୍ଯ୍ୟର ମୁକ୍ତାବିନ୍ଦୁ
ଓଠରେ ହସ ତ ଲାଖି ରହିଥାଏ
ସତେକି ସେ ବାଳଇନ୍ଦୁ।
ମନର କୋହକୁ ଚାପିରଖି ଯିଏ
ଖେଳାଏ ଓଠରେ ହସ
ମଣିଷ ପଣିଆ ତାଠାରେ ଥାଏତ
ଦେଖାଏନି ରାଗରୋଷ।
ରଙ୍ଗ ଅଧରରେ ହସିଦେଲେ ଥରେ
ମନରୁ ମିଟଇ ଦୁଃଖ
ରାଗ ଅଭିମାନ ଚାଲିଯାଏ କେଣେ
ମନେ ଭରିଯାଏ ସୁଖ।
ଓଠ ତ ଅଟଇ ମାନବ ଜୀବନେ
ହସକାନ୍ଦ ଗନ୍ତାଘର
ପ୍ରତିଟି କ୍ଷେତ୍ରରେ ଆକୃତି ବଦଳେ
ଦେଖିଦେଲେ ଜାଣିବାର।
ବିହିର ସୃଷ୍ଟିରେ ଓଠର ମହତ୍ତ୍ଵ
ରଚିଲା ସେ ଫୁରୁସତେ
ବଶ ହୁଏ ଶତୃ ଝରିଲେ ତ ହସ
ତୁଳନା ନଥାଏ ସତେ।
ବିରହି ପ୍ରାଣରେ ଖେଳଇ ଚମକ
ଓଠୁ ଝରେ ଯେବେ ହସ
ଭୁଲିଯାଏ ସବୁ ଗାଏ ପ୍ରେମ ଗୀତ
ଜୀବନର ପରିହାସ।
ଓଠ ତଳ ହସ ଝରୁଥାଉ ନିତି
ହସିବ ସାରା ସଂସାର
ନିର୍ମଳ ମାଧୁର୍ଯ୍ୟ ହସର ଗାରିମା
ନିର୍ଝରିଣୀ ସମତୁଲ।
