ଅଚିହ୍ନା ମୁ୍ହଁ ଚିହ୍ନା ମଣିଷ
ଅଚିହ୍ନା ମୁ୍ହଁ ଚିହ୍ନା ମଣିଷ
ସମୟ ରାଜ ରାସ୍ତାରେ ଚାଲି ଚାଲି ଗଲାବେଳେ,
ଆଖି ଆଗରେ ଆସନ୍ତି ଅନେକ ବାଟୋଇ।
ସେମାନଙ୍କ ଶରୀରକୁ ମୁଁ ଚିହ୍ନେ ନାହିଁ।
ଗାଆଁରେ,ପରିବାରରେ କିମ୍ବା ଅଫିସ୍ ରେ,
ସେମାନଙ୍କ ସହ କେବେ ଦେଖା ହୋଇନାହିଁ।
ମୋ ପରି ସେମାନେ ନିଃଶ୍ଵାସ ନିଅନ୍ତି,
ଖାଆନ୍ତି ପିଅନ୍ତି ଆଉ କଥା ବି କୁହନ୍ତି।
ମୋ ଭଳି ନାଲିରକ୍ତ ପ୍ରବାହିତ ସେମାନଙ୍କ ଧମନୀରେ।
କିନ୍ତୁ ସେମାନେ ସମ୍ପୁର୍ଣ୍ଣ ଅଚିହ୍ନା,
ପଞ୍ଚଭୂତେ ଗଢ଼ା ମୋର ଏହି ମର ଶରୀରଟା ପାଇଁ।
ତଥାପି ବି ବେଳେବେଳେ ଏମିତି କାହିଁକି ଲାଗେ?
ଯେମିତିକି ମୁଁ ସେମାନଙ୍କୁ ଜାଣେ,
କେଉଁଠି ନା କେଉଁଠି ପରିଚୟ ହୋଇଛି ସେମାନଙ୍କ ସହ।
କିନ୍ତୁ କେଉଁଠି?
ନିଶ୍ଚିତରେ ଏ ଶରୀର ଧରିବା ଭିତରେ ନୁହେଁ।
ହୁଏତ ଏ ଶରୀରକୁ ଆସିବା ପୂର୍ବରୁ।
ଯେତେବେଳେ ନଥିଲା ମୋର କିଛି ନା ଆଉ ଗାଁ,
ଘର ପରିବାର ଆଉ ଅଫିସ୍ ଠିକଣା,
ବିଶ୍ଵବିଦ୍ୟାଳୟ ଡ଼ିଗ୍ରୀ, ତ୍ରିତଳ ପ୍ରାସାଦ,
ଦରମାରୁ ମିଳୁଥିବା ପୁଳା ପୁଳା ଟଙ୍କା,
ବ୍ୟାଙ୍କ ଲକର୍ ରେ ଥିବା ଭରି ଭରି ସୁନା ଅଳଙ୍କାର।
ଯାହାର ସମ୍ପୁର୍ଣ୍ଣ ମୂଲ୍ୟ ଗର୍ବ ଅହଙ୍କାର ଛଡ଼ା ଅନ୍ୟ କିଛି ନୁହେଁ,
ଯାହା ମୋତେ ଦୂରେଇଛି ସତ,ଶାନ୍ତି,ଦୟା ଓ କରୁଣା ଠାରୁ,
ଯାହା ମୋତେ ଠିଆ କରେଇଛି ମୁଁକାର ର ପାହାଡ଼ ଉପରେ।
ଯେଉଁଠାରୁ ଝାପ୍ସା ଝାପ୍ସା ଦିଶେ ସମସ୍ତଙ୍କ ମୁହଁ।
ମୋ ଠାରୁ ତୁମ ପରିଯନ୍ତେ,ତୁମଠାରୁ ସେମାନଙ୍କ ଯାଏ,
ଖାଲି ଫରକ ଓ ବ୍ୟବଧାନ,ନାମ ଓ ଡ଼ିଗ୍ରୀର,
ଧନ,ମାନ ଆଉ ଶରୀରର।
ସେଥିପାଇଁ ଆମେ କେହି କାହାକୁ ଚିହ୍ନୁନା, କାହାକୁ ଜାଣୁନା।
କିନ୍ତୁ ଆମେ ସମସ୍ତେ ଆସିଛୁ ଗୋଟିଏ ଯାଗାରୁ,
ଫେରିଯିବୁ ଗୋଟିଏ ଯାଗାକୁ।
ସେଥିପାଇଁ ସମସ୍ତ ଅଚିହ୍ନା ମୁହଁ ଲାଗନ୍ତି ନିଜର,
ଅତି ଆପଣାର।
ଅଚିହ୍ନା ମୁହଁ ଭିତରେ ସମସ୍ତେ ଚିହ୍ନା ମଣିଷ।