STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
97


---------

ମୋ ଆଖି ପାଉନଥିବା

ନଦୀ ପଠା ଗଛ ମୂଳେ

କିଏ ଜଣେ ବସିଥିଲା

ସୁଁ ସୁଁ କାନ୍ଦୁଥିଲା ନୀରବରେ

ପାପୁଲିରେ ପାପୁଲିଏ ଶୂନ୍ୟତାକୁ

ଜାବୁଡି ଧରି ପୁଣି ହା' ହା' ହସୁଥିଲା,

ଲେଖୁଥିଲା ନିଜର ଇତିହାସ

କେତେ ହାର୍ ପୁଣି କେତେ ଜିତ୍

ପବନର ଛାତିରେ ,

ଗଣ୍ଠୁଲିରେ ଗଣ୍ଠୁଲିଏ ଦୁଃଖକୁ

ମୁଣ୍ଡରେ ମୁଣ୍ଡାଇ ବାଟ ଚାଲୁ ଚାଲୁ

ଘଡିଏ ବସି ପଡି ଆକାଶକୁ 

ଏକଲୟରେ ଚାହିଁ ରହୁଥିଲା ।


କାଳେ କେହି ଚିହ୍ନା ଲୋକ

ଚିହ୍ନି ଦେବେ ବୋଲି

ଅଚିହ୍ନାର ଗହଳିରେ ନିଜକୁ ହଜାଇ

ଛାତିରେ ଛାତିଏ କୋହକୁ ଚାପି ଧରୁଥିଲା ।

ସେ ଦିନର ଜହ୍ନ ଆଲୁଅରେ

ଚକମକ ଦେଖାଯାଉଥିବା ସ୍ବପ୍ନ ସବୁ

ଆଜିର ବହଳ ଅନ୍ଧାରେ 

କେଉଁଠି କେଜାଣି ଲୁଚି ଯାଉଥିଲା ବେଳେ

ହାଡ ,ମାଂସ ,ରକ୍ତ ଝୁଣିଖାଉଥିବା

ସେଦିନର ସ୍ବାର୍ଥପର ମଣିଷ କେତୋଟି 

ବାଟ ଭାଙ୍ଗି ଚାଲି ଯାଉଥିଲେ

ଚିହ୍ନା ମଣିଷଟି ଅଚିହ୍ନା ଲାଗୁଥିଲା 

ନିହାତି ଅଚିହ୍ନା ନିହାତି ଅଜଣା ।


ପରିତ୍ୟକ୍ତ ନୁଆଁଣିଆ କୁଡିଆ ଭିତରେ

ରାତିର ନିରୋଳା ମୁହୂର୍ତ୍ତରେ

ଜହ୍ନ ତାରାଙ୍କ ସହିତ  

ଏକା ଏକା କଥା ହେଉଥିବାବେଳେ

ନିଜର ଦୁଃଖତକ ବାଣ୍ଟି ଦେଉଥିଲା ।

କେତେବେଳେ କେମିତି ଗଭୀର ରାତିରେ 

ନିଜର ଅଚିହ୍ନା ପଣକୁ ନେଇ 

ଖୁସିରେ ଫାଟିପଡୁଥିଲା ତ

ଆଉ କେତେବେଳେ ଆଂଜୁଳା ଆଂଜୁଳା 

ଲୁହକୁ ହାତ ମୁଠାରେ ମୁଠାଇ ଧରି

ଆସନ୍ତା କାଲିର ସୂର୍ଯ୍ୟଙ୍କୁ ଚାହିଁ ରହୁଥିଲା ।


ସଭ୍ୟତାର ସ୍ବଚ୍ଛ ଆଲୋକରେ

ରାସ୍ତା ସବୁ ବନ୍ଦ ହୋଇଗଲା ପରେ

ସ୍ବାର୍ଥପରତାର ବହଳ ଅନ୍ଧାରରେ 

ଆଖି ସବୁ ଅନ୍ଧ ହୋଇଯାଏ,

ଚିହ୍ନା ମୁହଁ ଅଚିହ୍ନା ଲାଗନ୍ତି 

ସ୍ନେହ, ପ୍ରୀତି, ସମ୍ପର୍କର ବତି ଲିଭି ଯାଏ

ଲେଖାହୁଏ ଚିହ୍ନ ମଣିଷର ସଂଜ୍ଞା

ଅଚିହ୍ନାର ସଫେଦ ପଂର୍ଦରେ  ,

ଟୋପା ଟୋପା ସଜଳ ଆଖିର ବିନ୍ଦୁ 

ସବୁ ଏକକାର ହୋଇ ପାଲଟି ଯାଏ

ଏକ ବିଶାଳ ସିନ୍ଧୁ ଅଚିହ୍ନା ମଣିଷର 

 ସଶକ୍ତ ଓ ଗଭୀର ଛାତିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍