ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


କବିତା, ତୁମେ ଆସ
ଖୋଲା ଅଛି ମୋ ମନର ଗବାକ୍ଷ
ଯେଉଁ ବାଟେ ତୁମେ
ଆସିବାକୁ ଭଲପାଅ।
ଅଭିମାନୀ ଆସ ତୁମେ
ଘେନି ଶବ୍ଦର ସମ୍ଭାର
ତୁମେ ଆସିଲେ
ଗଢିବି ମୁଁ ଏକ ଉପବନ
ଯେଉଁଠି ତୁମେ ଥିବ
ଆଉ ଶବ୍ଦ ଗୁଡିକୁ ଗୁନ୍ଥି ଚାଲିଥିବ
ମୋ ମନ
ଭାବର କାନଭାସ୍ ଉପରେ
ଖାଲି ପାଖୁଡା ମେଲାଉଥିବ କୃଷ୍ଣଚୂଡା
ଭାସିଆସୁଥିବ ମଳୟ ପବନ
ଛାଇ ଆଲୁଅର ଖେଳ ମଧ୍ୟରେ
ପ୍ରକୃତିର ନୈଶ୍ଵର୍ଗିକ ରୂପ
ଦୂର ପାହାଡ଼ର ମନଜିଣା ଶୋଭା
ଖଗମାନଙ୍କର ମଧୁର କାକଳି
ଆଉ ଭସା ବାଦଲର ମନଲୋଭା ଆଭା।
ରାମାୟଣରୁ ମହାଭାରତ
ଇତିହାସରୁ ବିଜ୍ଞାନ ପର୍ଯ୍ୟନ୍ତ
ସବୁକୁ ଫେଣ୍ଟାଫେଣ୍ଟି କରି
ଅନର୍ଗଳ ବଖାଣି ଚାଲିଥିବି
ତୁମ ରୂପ ଲାବଣ୍ୟର ସହରଦରେ
ଚିତ୍ରଲିପି ଆଙ୍କୁଥିବି।
ତୁମେ ଆସୁନ ବୋଲି
ମୋ ଲେଖନୀ ସ୍ତବ୍ଧ
କାଗଜର ପୃଷ୍ଠାଗୁଡିକ
ସଫେଦ ଦାନ୍ତ ନିକୁଟି
ମୋତେ ଖତେଇ ହେଲେଣି
ଭାବ ତଟିନୀରେ ଜୁଆର ଉଠୁନି
ଏକବାର ନିର୍ବାକ
ଭାବହୀନ ମଣିଷ
ସତରେ କ'ଣ ମୁଁ ପାଲଟିଛି
ତୁମ ପାଇଁ ଅଚିହ୍ନା ମଣିଷ ।