STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ଅବ୍ୟକ୍ତ

ଅବ୍ୟକ୍ତ

1 min
181


ଯୋଉଦିନ ସବୁ ହାତ ଧୁଆଧୁଇ ହେଲେ 

ସେଦିନ ବି ସରି ଆସୁଥିଲା ହାଟ..

ଏଠି ଫି ରାତି ମୂଲଚାଲ ହୁଏ 

ଆଜି ବି ହେଲା 

ଗୋଟେ ସରି ସରି ଆସୁଥିବା ଶୀତୁଆ ରାତିର ଦେଣନେଣ ଚୁପଚାପ ..

ଛାଇକୁ ଛାଇ ଅନ୍ଧାରରେ କୁଦା ମାରିଲାବେଳେ 

ନଇଁ ପଡୁଥିଲା କ୍ଷୁଧାର୍ତ୍ତ ଚପଳ ମୁହଁ

ନୀଳ ନିମନ୍ତ୍ରଣ ଫାସରେ ଝୁଂଟୁଥିଲା ମାର୍କାମରା ଇତିହାସ 

ଆଉ ସର୍ବସଂହା ପୃଥିବୀ ମଥା ପିଟୁଥିଲା 

ବିଦୀର୍ଣ୍ଣ ଆକାଶ ପାହାଚରେ

ଚୁପଚାପ ..ଅବଶ ଅବ୍ୟକ୍ତ 

ସାକ୍ଷୀ ରହିବା ପାଇଁ ଵ୍ୟସ୍ତ ଆଗାମି କାଲିର ଲୋଭସବୁ 

କେହି ଜଣେ ଚିତ୍ରକର ଦ୍ବନ୍ଦରେ ଥିଲେ 

ତୂଳୀର ତୁଣୀର ରୁ ଖସି ଯାଉଥିଲା ଶବ୍ଦବ୍ରହ୍ମ ..

ନା ..ମୁକୁଳେଇବାକୁ ହେବ ଲହୁ ଲୁହ ରେ ବନ୍ଧା ଗଣ୍ଠିଲିକୁ 

ନୀଡ ଛାଡିବାକୁ ହେବ ଏଥର ଖଣ୍ଡିଉଡ଼ା ଦେଉଥିବା ପକ୍ଷୀକୁ 

ଖୋଜିବାକୁ ହେବ ଚଞ୍ଚୁ କୁଞ୍ଚନର ଅବଶିଷ୍ଟ ଠିକଣା ..

ଶିଖି ଶିଖେଇବାକୁ ପଡିବ ଏକୁଟିଆ ଜିଇଁବାର କୌଶଳ ବିନା ସର୍ତ୍ତରେ 

ଏମିତି ତ ସିନ୍ଦୁରା ଫାଟିଲା ବେଳକୁ ପୁଣି ଅଳସ ଭାଙ୍ଗି ମୁହଁ ଛିଂଚାଡୁଥିବ

ଆଉ ଗୋଟେ ଅବଶ ଅବ୍ୟକ୍ତ ରାତି ...

ପୁରା ଗୋପନରେ ...

ଚୁପଚାପ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍