ଅବ୍ୟକ୍ତ ଯନ୍ତ୍ରଣା
ଅବ୍ୟକ୍ତ ଯନ୍ତ୍ରଣା
ଅନେକ ସମୟରେ ଛାତି ତଳେ
ପଥର ପରି ଜମାଟ ବାନ୍ଧିଥିବା
ଯନ୍ତ୍ରଣା ଦୁଃଖ ଆଉ କୋହକୁ
ଚାହିଁଲେ ମଧ୍ୟ ପ୍ରକାଶ କରି ହୁଏନା ।
କାହା ଆଗରେ କହିବ? କିଏ ଶୁଣିବ??
ଶୁଣିବାକୁ ଖାଲି ସମୟର ଅଭାବ ! ତା ନୁହେଁ
ଦୁଃଖ ସୁଖ ବାଣ୍ଟି ନେବାକୁ ଦରଦୀ ମନଟେ କାହିଁ ?
ଏଠି କାହାର ଦୁଃଖ କମ୍ ଅଛି ଯେ ।!
ପୁଣି ନୂଆ ନୂଆ ଦୁଃଖର ଭଉଁରୀ
ଭିତରେ ତୁଚ୍ଛାଟାରେ ଉବୁଟୁବୁ ହୋଇ
ଯନ୍ତ୍ରଣାରେ ଛଟପଟ ହେବ ।
ଅଭାବ ବୋଧ ହେଉ କି ଅପ୍ରାପ୍ତିର ଅବଶୋଶ
ବାଧ୍ୟ କରେ ଧାଇଁବାକୁ ମରୀଚିକା ପଛେ
ହେଉ ପଛେ ସମୟର ଅଯଥା ଅପଚୟ ।
କେହି ସ୍ଵୀକାର କରୁ କି ନ କରୁ ଏହା ସତ ଯେ
ସଭିଏଁ ଗୋଟେ ଅବ୍ୟକ୍ତ କୋହର ବୁଜୁଳାକୁ
ବେତାଳ ପରି ଅହର୍ନିଶି କାନ୍ଧରେ ବୋହି ଦୌଡନ୍ତି
ଘୁଞ୍ଚି ଘୁଞ୍ଚି ଯାଉଥିବା ସୁଖ, ସ୍ୱପ୍ନର କଳା ଛାଇ ପଛରେ
ତାକୁ କଣ ଧରିହୁଏ ?? ସୁନାର ହରିଣୀ ସେ...
ଖୋଜୁଥିବା ସବୁ ସୁଖ ଯଦି ହାତ ମୁଠାରେ ମିଳନ୍ତା
ନ ଥାଆନ୍ତା କୋହ ଆଉ ଲୁହର ଏ ଅବ୍ୟକ୍ତ ଯନ୍ତ୍ରଣା।
