STORYMIRROR

Kulamani Sarangi

Others

3  

Kulamani Sarangi

Others

ଅବ୍ୟକ୍ତ ଅଭିଳାଷା

ଅବ୍ୟକ୍ତ ଅଭିଳାଷା

1 min
216


ମନ ମନ୍ଦିରେ ଜଳେ ପ୍ରଦୀପ

ଅନ୍ଧକାର ଚିରି,

ସେହି ଦୀପରେ ରହିଛ ଭିଜି

ପ୍ରୀତି ସଳିତା ପରି।


ଦୂର ବନାନୀ ବିଜନ କେଉଁ

ଉପତ୍ୟକାକୁ ଛୁଇଁ,

ମୁରଲୀ ସ୍ୱନ ଆସେ ଚହଲି

ସୀତ୍କାର କେତେ ନେଇ।


ଜାଣିଛି ତୁମେ ଅଛ ଯେଉଁଠି

ଦୂରତା କେତେ କୋଶ,

ମହକାଉଛି ସାରା ପୃଥିବୀ

ତୁମରି ଅଙ୍ଗବାସ।


ତୁଳସୀ ଚନ୍ଦନର ବାସରେ

ପାଏ ଭେଟ ତୁମର

ସଞ୍ଚରି ଯାଏ ଲୋମକୂପରେ

ସୀତ୍କାର ବେପଥୁର ।


ରହିଛ ସିନା ଦୂରରେ ବନ୍ଧୁ,

ଖିଆଲ ଶାରୀ ହୋଇ,

ଯାଇଛି ଉଡି ତୁମ ଝରକା

ପାଖେ ବସିବା ପାଇଁ।


ପ୍ରୀତି ମଇନା କଥା ମାନେନା

ମେଘକୁ ଯାଏ ଉଡି,

ଯେଉଁ ମେଘରେ ବସିଛ ତୁମେ

ଫୁଲର ଯାନ ଚଢି।


ତୁମ ହସର ଫୁଟିଲା ଫୁଲ

କେବେ ମଉଳି ନାହିଁ,

ତୁମ ପରଶ ସ୍ପନ୍ଦନ ହୋଇ

ଛାତିରେ ଅଛି ରହି।


ଅକୁହା କଥା ରହିଛି ତୁମ

ବଂଶୀର ସୁର ତାଳେ,

ନିରବେ ଆସି ମନ ତନ୍ତ୍ରୀରେ

ମୂର୍ଚ୍ଛନା ସଦା ତୋଳେ।


କେତେ କହନ୍ତି ତୁମେ କୁଆଡେ

ଦେବଙ୍କ ଅବତାର,

ତୁମେତ ମୋର 'ଦେବତା'

ଅବତାରେ କି କାମ ମୋର !!


ଅନୁରୋଧ ମୋ ରଖିବ ତୁମେ

କେବେ ଆସିବ ନାହିଁ,

ଆସିଲେ ପ୍ରୀତି ମଧୁ ମାଳତୀ

ଯିବ ମଉଳା ହୋଇ।


Rate this content
Log in