STORYMIRROR

Biswanath Nayak

Others

3  

Biswanath Nayak

Others

ଅବତାର

ଅବତାର

1 min
346


ସତ୍ୟ ଗଲା ତ୍ରେତା ଗଲା

ଗଲାଣି ଦ୍ଵାପର,

କରିଛି ଅପେକ୍ଷା କଳି

କେବେ ହେବ ପ୍ରଭୁ !ତୁମେ

କଳ୍କୀ ଅବତାର?

ଆଇନ ଫାଙ୍କରେ ଗଳି

ମାଡିଚାଲେ ଅନ୍ୟାୟ ଓ

ଦୁର୍ନୀତିର ଚେର,

ଆଜି ବି ରାଜରାସ୍ତାକୁ

ପ୍ରକମ୍ପିତ କରୁଅଛି

ନାରୀ ସ୍ଵାଧୀନତାର

ଆକୁଳ ଚିତ୍କାର,

ଆଇନ ରୋକିପାରୁନି

ଲାଞ୍ଚ ଓ ମୁନାଫାଖୋରୀ

କଳା କାରବାର,

ଉତ୍ପାଟନ କରିବାକୁ

ଏ ସବୁର ଚେର,

କେବେ ହେବ ପ୍ରଭୁ!

ତୁମେ କଳ୍କୀ ଅବତାର?

"ଉଠାଅନା,ଉଠାଅନା,

ମୋତେ ଆଉ ଜଳଧିଶୟନୁ

ଧରିବାକୁ କଳ୍କୀ ଅବତାର,

ଧର୍ମ ସଂସ୍ଥାପନା ଆଉ

ଦୁଷ୍କୃତ ବିନାଶ ପାଇଁ ନାଶକରି

ଅନ୍ୟାୟୀ ଓ ଅତ୍ୟାଚାରୀ

ଅନେକ ଅସୁର,

ସୁନ୍ଦର, ସୁସ୍ଥ ସମାଜ ଗଢିବାକୁ,

ହେ ମଣିଷ!

ତୁମହାତେ ଦେଇଥିଲି ଭାର,

କିନ୍ତୁ! ଆଜି ସେ ଅନ୍ୟାୟ,

ଦୁର୍ନୀତିର ତୁମେ ସୂତ୍ରଧର!

ମିଛେ କିଆଁ ଆଇନକୁ ଦେଇ ଦୋଷ

ବୁହାଉଛ ଛଳନାର ନୀର?

ଯଦି ଆଉ ଚାରିଯୁଗ

ଦୁର୍ନୀତି, ଦୁର୍ନୀତି ବୋଲି

ମିଛଟାରେ କରିବ ଚିତ୍କାର,

ଯେତେ ଆଇନ କଲେବି

ମରିବନାହିଁ ଦୁର୍ନୀତି ଆଉ ଅତ୍ୟାଚାର। 

ଯେ ପର୍ଯ୍ୟନ୍ତ ନ କରିଛ

ନିଜେ ତୁମେ ନିଜକୁ ସଂସ୍କାର,

ଉପୁଡିବ ନାହିଁ କେବେ

ଦୁର୍ନୀତି ଓ ଅତ୍ୟାଚାର ଚେର,

ତେଣୁ ମୋ ଅବତାରକୁ 

ଅପେକ୍ଷା ନକର,

ତୁମେ ଯେଣୁ ମୋର ଅଂଶ,

ସାଜି ମୋର ଶାନ୍ତିଦୂତ,

କର ନିଜେ ନିଜକୁ ସଂସ୍କାର। 

ନିଜ ଭିତରୁ ଓପାଡ

ଅନ୍ୟାୟ ଓ ଦୁର୍ନୀତିର 

କୁଭାବନା ଚେର। 

ସେ ମ୍ଳେଚ୍ଛ ଭାବନା ଯଦି

ନିଜେ ନିଜ ଅନ୍ତରରୁ

କରିବ ସଂହାର,

ତୁମ ଭିତରୁ ଉଠିବ

ଦୁର୍ନୀତିର ବିରୋଧରେ

ପ୍ରତିବାଦ ସ୍ଵର, 

ତାହା ହେବ ଏ କଳିରେ

ମ୍ଳେଚ୍ଛ ସଂହାରଣ ଆଉ

କଳ୍କୀ ଅବତାର ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍