ଅବଶୋଷର ଧୂଆଁ
ଅବଶୋଷର ଧୂଆଁ
ଚାରି ଅକ୍ଷରରେ ସୃଷ୍ଟି ଯେ ମଦୀୟ
ନାମ ଅଟେ ଅବଶୋଷ ।
ଦୁଃଖ-ପରିତାପ ଅର୍ଥ ମୁଁ ଅଟଇ
ମନକୁ କରେ ନିରାଶ ।।
ବାଞ୍ଛିତ ବିଷୟ ହୋଇଗଲେ ପ୍ରାପ୍ତି
ମନ ହୁଏ ପ୍ରଫୁଲ୍ଲିତ ।
ଅବଶୋଷ କେବେ ନ ରହୁ ମନରେ
ମନରେ ଥାଏ ଇପ୍ସିତ ।।
ତୃଷାର୍ତ୍ତ ବ୍ଯକ୍ତିକୁ ମିଳିଗଲେ ଜଳ
ମେଣ୍ଟିଥାଏ ତା'ର ଶୋଷ ।
ତୃଷା ମେଣ୍ଟିଗଲେ ହୁଏ ମହାତୃପ୍ତ
ହୋଇଥାଏ ମନ ହରଷ ।।
ଆଶା-ଅଭିଳାଷ-ଆକାଂକ୍ଷା-ଲାଳସା
ବସା ବାନ୍ଧିଥାଏ ମନେ ।
ସେ ଆଶା ଯେ ସଦା ହେବ ପରିପୂର୍ଣ୍ଣ
ସମ୍ଭବ ନୁହେଁ ସପନେ ।।
ମନେ ଅବଶୋଷ ଦିଏ ଭାରି କଷ୍ଟ
ତାହା ଯେ କଳ୍ପନାତୀତ ।
ମନ ଭାବନାରେ ଅବଶୋଷ କଦା
ମେଣ୍ଟେ ନାହିଁ ଏହା ସତ ।।
ଅବଶୋଷ ଧୂଆଁ ବେଶି କୁହୁଳିଲେ
ମନରେ ଭରେ ଅଶାନ୍ତ ।
ଚିନ୍ତା କରି ମନ ଦୁଃଖେ ଅବସନ୍ନ
ପ୍ରାଣ ହୁଏ ଛଟପଟ ।।
କର୍ମ କରି ମଧ୍ୟ ହୁଅଇ ନିଷ୍ଫଳ
ଭାଗ୍ଯ ନ ଦିଏ ସୁଫଳ ।
ବୃଥା ଅବଶୋଷେ ମନସ୍ତାପ କରି
ଶରୀର ହୁଏ ଦୁର୍ବଳ ।।
ଧନ ଓ କ୍ଷମତା ଆଉ ପ୍ରତିପତ୍ତି
ସଦା ଇଚ୍ଛା କରେ ନର ।
ତନ୍ମଧ୍ୟରୁ ଯଦି କିଛି ବି କମିଲା
ଅବଶୋଷ ରହେ ତା'ର ।।
ସର୍ବ କାର୍ଯ୍ଯେ ସିଦ୍ଧି ସାଧନ ହୋଇଲେ
ଆତ୍ମହରା ହୁଏ ଖୁସିରେ ।
ମୋ ଦ୍ବାରା ତ ସବୁ ସମ୍ଭବପର ଯେ
ଗର୍ବ କରେ ଅଭିମାନରେ ।
ସୁଖେ ମାନବର ତୃଷା ନ ମେଣ୍ଟଇ
ଆଶା ଯେ ତା'ର ଅସୀମ ।
ଆଶା ମୁତାବକ ଫଳ ନ ପାଇଲେ
କରେ ପ୍ରଭୁଙ୍କ ଦୁର୍ନାମ ।।
ତୃଷ୍ଣା ବୈତରଣୀ ଜାଣିସୁଦ୍ଧା ନର
ତଥାପି ନ ଛାଡେ ଲୋଭ ।
କାମିନୀ-କାଞ୍ଚନ-ପୁତ୍ର-ଦାରା-ଧନ
କରେ ସଞ୍ଚୟ ବୈଭବ ।।
ଯା'କର୍ମରେ ଯାହା ଦେଇଛନ୍ତି ପ୍ରଭୁ
ତାହା ଅବଶ୍ଯ ଭୋକ୍ତବ୍ଯ ।
କର୍ମର ଫଳକୁ ହେୟ ମନେକରି
ଭାଗ୍ଯ ନିନ୍ଦା ନ କର୍ତ୍ତବ୍ଯ ।।
ଅବଶୋଷ ଧୂଆଁ ହେବ ପ୍ରଶମିତ
ବିଷୟେ ନଖି ଆଶା ।
ଅବଶୋଷ ମହା ଦୁଃଖର କାରଣ
ବଢାଏ ମନର ତୃଷା ।।
