ଅବରୁଦ୍ଧ
ଅବରୁଦ୍ଧ
ଆକାଂକ୍ଷା ବହୁଳ ଏହି ଜୀବନର ଯୁଦ୍ଧେ
ତ୍ରାହି ଅଛି ବସି ଗଲି କକ୍ଷେ ଅବରୁଦ୍ଧେ ।
ପରମ ଚିନ୍ତନ ବେଳେ ବିଷୟେ ଚିନ୍ତନ
ପଶି ଆସେ ଯହିଁ ଊଣା ହୁଅନ୍ତେ କୀର୍ତ୍ତନ ।
ସାଧନାର ଉତ୍କର୍ଷରେ ନ ହେଲେ ତଲ୍ଲୀନ
ଆରଣ୍ୟକ ବାସନାରେ ବିବେକ ମଳିନ ।
ରଜୋଗୁଣ ରୁନ୍ଧିଦେଇ ସତ୍ତ୍ୱର ଆବେଗ
ତାମିସ୍ର ଘୋଟାଏ ତୀବ୍ର ଇନ୍ଦ୍ରିୟଙ୍କ ବେଗ ।
ପଲକ ତଳର ଛାଇ ଦିଶେ ନାହିଁ କେବେ
ଅସୂୟା ଓ କାମନାର ଶତ୍ରୁ ଥାଏ ଯେବେ ।
ଦାଗ ଯେତେ ଅନ୍ତରଙ୍ଗ ବିଗତ ପ୍ରେମର
ଆଢୁଆଳେ ଫୁଟେ କିବା ଚମକ ହେମର ।
ନିଅଣ୍ଟ ମୋ ପରିଧାନ ଦାଗର ସକାଶେ
କଳୁଷ କାଳିମା ସିନା ବାହାରେ ପ୍ରକାଶେ ।
ପିତଳ ମାଠିଆ କି ସେ ମାଜିଲେ ଛାଡିବ
ଭଲ ହେଲା ରୁଦ୍ଧଦ୍ୱାରେ ଯେତିକି ମାଡିବ ।
ମଣିଷ ଛାଇରେ ଦେଖି ଦାଗ ଆଉ ଦାଗ
ସୁବର୍ଣ୍ଣ କଙ୍କଣଧାରୀ ଯେହ୍ନେ ହିଂସ୍ର ବାଘ ।
ଧୋଇ ପଛେ ପାପପୁଣ୍ୟ ପରଖି ରଖିବି
ରୋପିଲା ଗଛର ଫଳ ନିଜେ ହିଁ ଭକ୍ଷିବି ।
ପ୍ରସନ୍ନ କୁମାର ମାଦଳା