ଅବଳା
ଅବଳା
ଓସ୍ତ ପତ୍ର ଫଡ ଫଡ
ଥରୁଥିଲା ଅବଳାଟେ ପରି
ସମୟର ଚକ ଘୂରେ
ନିତି ଦିନ ବିରତ ନହୋଇ ,
କାନ୍ଦକାନ୍ଦ ପିଲାଟିକୁ
ଅନ୍ଧାରୁଆ କକ୍ଷେ ଭିଡି ଧରି
ଛଟପଟ ରାଧା ନାନୀ
ହାଇ ମାରି ଚେଇଁଥାଏ ଶୋଇ ।
ରାତି ଏଡ଼େ ବାଘ ପରି
ଏବେ ଲାଗେ ଭାରି ନିଛାଟିଆ
ଝରକାରୁ ବାହାରକୁ
ଦେଖି ସାରି ଦମ୍ଭ କରେ ମନ ,
ଛାତି ତଳେ ଧକଧକ
ଥରି ଉଠେ ଯେବେ ତାର ହିଆ
ଆଣ୍ଠୁ ଭାଙ୍ଗି ମୁହଁ ଢାଙ୍କେ
ପିଲା ମୁଖେ ଭରି ତାର ଥନ ।
ରାତି ହେଲେ ସ୍ଵାମୀ ତାର
ମହୁ ଖୋଜେ ଉଡି ବାଟିକାରେ
ଉପବନେ ତରୁ ଲତା
ଛୁଇଁ କେତେ ଫେରଇ ପ୍ରଭାତେ ,
ଡରି ମରି ସ୍ପନ୍ଦନ ତା'
ଦ୍ରୁତ ଚାଲେ ବଢ଼ି ନାଟିକାରେ
ଦେଖି ଦେଖି ହାତ ଶଙ୍ଖା
ନୀରବରେ ଖାଲି ଅଶ୍ରୁ ପାତେ ।
ଭାଗ୍ୟ ଦୋଷେ ଆଖି କୋଣେ
ଲୁହ ଶୁଖେ, ସରେନାହିଁ ଦିନ
ଦିଗ ପାଳେ ସାକ୍ଷୀ ରଖି
ହୋମକୁଣ୍ଡେ ଯିବା ପାଇଁ ଜଳି ,
ବାହା ହୋଇ ଆସିଲାଠୁ
କି କରିବ କପାଳ ତ ହୀନ
ସ୍ଵାମୀ ଯେବେ ସତ୍ୟ ଭୁଲେ
ମୋହେ ଅନ୍ଧ ମହୁମାଛି ଭଳି ।
ପାରିଲାନି ରାଧା ନାନୀ
ବଞ୍ଚିବାର ସଂଗ୍ରାମରେ ଯୁଝି
ଫେରିଗଲା ବାପଘରେ
ଉପାୟ ତ ନଥିଲା ବି ଆନ ,
ସଂସାରର ମାୟା ଫାଶ
ସହଜରେ ନ ପାରୁଣୁ ବୁଝି
ଏକାକିନୀ ଆବେଶରେ
ଆଶ୍ରା ଲୋଡେ ନିରାଶ୍ରିତ ପ୍ରାଣ ।
ଆସିଲା ଯେ' ପଶୁ ପ୍ରାୟେ
ଶୁଣିଲାନି ତାର ଅନୁନୟ
ନିବେଦିଲା ହାତ ଯୋଡ଼ି
ଛାଡିଦିଅ ବାରେ ଦୟା କର ,
କହୁ କହୁ ଝାମ୍ପ ମାରି
ଦେଖାଇଲା ନିଜ ପରିଚୟ
ଦେହ ତାର ଲୁଟି ନେଲା
ପିପାସୁ ତ ନଥିଲା ବି ଡର ।
ଅଦୂରରେ କଳାନାଗ
ନିର୍ଭୟରେ ଟେକିଦେଲା ଫଣା
ଫିଟିଗଲା ଗୁହାଳରୁ
ଧେନୁଟିଏ ନିଜ ବାଟ ହୁଡି ,
ଅଶନି ପଡିଲା ବେଗେ
ବୁଦ୍ଧିଶୁଦ୍ଧି ହୋଇଗଲା ବଣା
ତ୍ରାହି ତ୍ରାହି ଡାକ ଛାଡି
ଗଛଡାଳୁ ପକ୍ଷୀ ଗଲେ ଉଡ଼ି ।
ପ୍ରସନ୍ନ କୁମାର ମାଦଳା