ଅବିଶ୍ୱାସ ଲାଗେ
ଅବିଶ୍ୱାସ ଲାଗେ
ଧୂଆଁଳିଆ କୁହୁଡ଼ିରେ ଆଛନ୍ନ ଏ ମନ.
ଅଚିହ୍ନା ଅଚିହ୍ନା ଲାଗେ ଆପଣାର ପଣ.
ଚାରିପଟେ ଘନଘୋର କୁହୁଡ଼ିର ଛାଇ.
ଜଳକା ଆଖିରେ କେତେ ଖାଲ ପୁଣି ଖାଇ l
ଅସ୍ଥିର ଅଧିର ମନ ଭ୍ରମେ ଭୟାତୁରେ,
ଆଖି ଖୋଜେ କ୍ଷୁଦ୍ର ଏକ ଶିଖା ଧୂଆଁ ଧାରେ,
ଭଉଁରୀରୁ ଉଠିବାକୁ ଯେତେ ଉପକ୍ରମ,
ମନେହୁଏ ସବୁ ଯେହ୍ନେ ପ୍ରହସନ ସମ l
ମୁକ ପ୍ରାୟେ ଅନ୍ତଃ ମଧ୍ୟେ ବିଳାପେ ପରାଣ,
ରୋକିବାକୁ ଉର୍ଦ୍ଧ୍ୱମୁଖୀ ଆତ୍ମାର ଦହନ,
ସହଜ ତ ନୁହେଁ ଦାବାନଳେ ଆକଟିବା,
କୋଷେ କୋଷେ ବିଷର ସେ ଜ୍ୱାଳା ସଞ୍ଚରିବା l
କ୍ଷଣେ କ୍ଷଣେ ପେଶୀ ହୁଏ ଶ୍ୱାସରୁଦ୍ଧ କରି,
ବାନ୍ଧିହୁଏ ଭାବନା ମୋ ଚକ୍ରବ୍ୟୁହେ ଘେରି,
ମୃତ ସମ ମସ୍ତିଷ୍କ ଯେ ଚେତନା ହରାଏ,
ଅବଚେତନରେ ଲାଗେ ସବୁ ସ୍ୱପ୍ନ ପ୍ରାୟେ l
ଏ ଦେହରେ ପ୍ରାଣ ବୋଲି ଭାବିଥିଲି ଯା’ରେ,
ସେ ପ୍ରାଣ ଯେ କଷ୍ଟଦିଏ ଏତେ ନିର୍ବିଘ୍ନରେ,
ଛାଡ଼ିଗଲେ ପ୍ରାଣ ଅଚିରେ ତରିଯିବି,
ବଞ୍ଚିଥାଇ କୁହୁଡିରେ କେତେ ପହଁରିବି l
ଭାବିଥିଲି ଏ ମୋହ ବନ୍ଧନ ଆତ୍ମାସାର,
ଦେହର ମୋହ ତ କେବେ ନଥିଲା ମୋହର,
ଜନ୍ମଜନ୍ମାନ୍ତର କଥା ପାଶୋରିବି ମନେ,
ଏ ଜନମ ଜିଇଁ ନେବି ପ୍ରତାରଣାର ସମ୍ମାନେ l