ଅଭୁଲା ଅତୀତ
ଅଭୁଲା ଅତୀତ
ବିତିଯାଇଥିବା ଜୀବନରେ ଅତୀତର ଏକ ଅଭୁଲା କାହାଣୀ । ୨୦୦୩ ମସିହାର କଥା ମୁଁ ଯାଇଥାଏ ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଜାଗାରେ । ସେହି ସମୟରେ ମୋର ଗୋଟାଏ ମଧ୍ୟମ ଧରଣର ବ୍ରଏଲର କୁକୁଡ଼ା ଫାର୍ମ ଥାଏ । ମୁଁ ଏମିତି ଅନେକ ଜାଗାରୁ ବ୍ରଏଲର ଓ ଲେୟର କୁକୁଡା ଆଣି ବିକ୍ରୟ କରୁଥାଏ । ମୁଁ ୟା ଆଗରୁ କେବେ ଆନ୍ଧ୍ର ଯାଇନଥିଲି । ମୋର ସାନ ଭାଇ ଏବଂ ମୁଁ ଆମେ ଦିଭାଇ ଯାଇଥାଉ ।
ଆମେ ରେଳ ଯୋଗେ ପ୍ରଥମରେ ବିଜୟନଗରମ୍ ଗଲୁ । ଏବଂ ବିଜୟନଗରମ୍ ଠାରୁ ବସ ଯୋଗେ ଆନନ୍ଦପୁରମ୍ ଅଭିମୁଖେ ବାହାରି ପଡ଼ିଲୁ ।
ଆମେ ଦିଭାଇ ଯେତେବେଳେ ଆନନ୍ଦପୁରମ୍ ରେ ପହଞ୍ଚିଲୁ ସେତେବେଳେ ବସ୍ଷ୍ଟାଣ୍ଡରୁ
ଆମକୁ ଜଣେ ଏଜେଣ୍ଟ ମିଳିଲେ ଆମେ ସେହି ଏଜେଣ୍ଟଙ୍କ ସହ ତାଙ୍କ ଅଫିସକୁ ଗଲୁ । ଆଗରୁ ସେ
ଏଜେଣ୍ଟଙ୍କ ଫୋନ ନମ୍ବର ମୋ ପାଖରେ ଥିଲା । ପ୍ରଥମରେ ତାଙ୍କ ସହ କଥାବାର୍ତ୍ତା ହେଲାପରେ ଯାଇ ସେ
ସହମତି ଦେବାରୁ ମୁଁ ପରେ ତାଙ୍କୁ ଭେଟିବା ପାଇଁ ଯାଇଥିଲି ।
ମୋ ମନରେ ସଦାସର୍ବଦା ଗୋଟିଏ ଭୟ ଉଠୁଥାଏ | ଆମକୁ ତ ଭାଷା ଜଣାନାହିଁ,କାଳେ କିଏ କେଉଁଆଡେ ଠକି କି ନେଇଯିବେ । ଟଙ୍କା ପଇସା ଛଡାଇ ନେବେ
ଏମିତି ଇତ୍ୟାଦି l
ତଥାପି ସାହସର ସହିତ ମୂକବିଳା କରି ଚାଲିଥାଉଁ ।
ଏମିତି କିଛି ସମୟ ଗଲା ପରେ ଏଜେଣ୍ଟ ବନ୍ଧୁ ଜଣକ ଦୁଇଟି ଥଣ୍ଡା ବୋତଲ ହାତକୁ ବଢ଼ାଇ ଦେଇ କହିଲେ, ନିଅ ଭାଇ ଥଣ୍ଡା ପିଇଦିଅ. .
ମୁଁ ସଙ୍ଗେସଙ୍ଗେ ଆଶ୍ଚର୍ଯ୍ୟ ହୋଇଗଲି। ଆରେ ଯିଏ ଟିକିଏ ଆଗରୁ
ହିନ୍ଦି ଓ ତେଲୁଗୁ କହୁଥିଲା ସେ ଏବେ ଓଡିଆ କହୁଛି । ମନରେ ଟିକିଏ ଆଶ୍ୱସ୍ତି ଅନୁଭବ କଲି ।
ଅନେକ ବାର୍ତ୍ତାଳାପ ହେଲାପରେ ସେ ଗୋଟିଏ କୁକୁଡାଫାର୍ମ ଠାରୁ କୁକୁଡ଼ା ନେବା ପାଇଁ ଠିକ୍ କଲେ ।
ଆଉ ଆମକୁ କହିଲେ ଭାଇ ତମେ ପାଖରେ ଥିବା ହୋଟେଲରେ ଖାଇଦେଇ ଆସିବ । ତମେ ଖାଇ ଆସିଲେ ଠିକ
ସନ୍ଧ୍ୟା ୫ରେ କୁକୁଡ଼ା ଲୋଡ ହେବ ।
ଆମେ ଦିଭାଇ ପାଖ ହୋଟେଲରୁ ଖାଇ ସାରି ଫେରିବା ବାଟରେ ଗୋଟିଏ ପାନ
ଦୋକାନ ପାଖକୁ ଗଲୁ । ମୁଁ ତାଙ୍କୁ କହିଲି (ହିନ୍ଦୀରେ)ଭାଇ ପାନ ଖଣ୍ଡିଏ ଦିଅ । ସେ ହସିଦେଲା
ଏବଂ ତେଲୁଗୁ ଭାଷାରେ କଣ ସବୁ କହିଗଲା । ମୁଁ ଆବାକ ହୋଇ ତା ମୁହଁକୁ ଚାହିଁ ରହିଥାଏ । ସେ ମୋର
ମଜା ନେଉଥାଏ । ସାଙ୍ଗରେ ଚାରି ପାଞ୍ଚଜଣ ଭଦ୍ରବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ମୁଁ କେବଳ
ହିନ୍ଦି ଭାଷାରେ କହି ଚାଲିଥାଏ ଆଉ ସେମାନେ ନ ବୁଝିଲା ଭଳି ହେଉଥାନ୍ତି ।
ସତରେ, ମୋତେ ବହୁତ
ଦୁଃଖ ଲାଗୁଥାଏ କାରଣ ମୁଁ ଭାଷା ଜାଣିନାହିଁ ବୋଲି ଏମାନେ ମୋର ମଜାକ ନେଉଛନ୍ତି । ଭାବିଲି
ଏହିଠାରୁ ଚାଲିଯିବି, ଏମିତି ଦିପାଦ ବଢାଇଛି ଆଉ ଜଣେ ଭାଇ ପହଞ୍ଚିଲେ ସେ ଦୋକାନରେ । ସେ
ଭାଇ କହିଲେ କେମିତି ଅଛୁରେ ଆନନ୍ଦ୍ । ସେ ଦୋକାନି କହିଲା ଭଲ ଅଛି । ଏହି ଦୁଇ ଲୋକଙ୍କ କଥା ମୋ
କାନରେ ବାଜିଲା ,ମୁଁ ସଙ୍ଗେ ପଛକୁ ଫେରିଲି । ଆଉ ଦୋକାନୀକୁ କହିଲି ଭାଇ ତମେ ତ ଓଡ଼ିଆ
ଜାଣିନ ଏବେ କେମିତି ଓଡ଼ିଆ ଜାଣିଲ । ସେ ସଙ୍ଗେସଙ୍ଗେ ମୁହଁକୁ ତଳକରି ସରି ଭାଇ ବୋଲି କହିଲା ।
ମୋ କଥା ଯେତେବେଳେ ମୁଁ ତାକୁ କହିଲିଭାଇ, ମୁଁ ଏଠାକାର ଭାଷା ଜାଣିନାହିଁ ତଥାପି ତୁମେ ଜଣେ ଓଡ଼ିଆ ହୋଇ ମୋ ସହିତ କଥା ହେବାକୁ ଘୃଣା
କରୁଛ କେମିତି । ମୁଁ ପଚାରିଲି ଭାଇ ତୁମ ଘର କେଉଁଠି । ସେ ଉତ୍ତରଦେଲା ମୋ ଘର ବାଲେଶ୍ଵର ବୋଲି
। ମୁଁ ମୋର ସମସ୍ତ କଥାସବୁ ଖୋଲି କରି କହିଲି । ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଥିଲେ ଓଡିଆ
। ତାପରେ ସେମାନେ କହିଲେ ଆମର ଭୂଲ ହୋଇଯାଇଛି ଭାଇ ଆମକୁ କ୍ଷମା କରିଦିଅ ବୋଲି ।
ମୋର କାହାଣୀ ଶୁଣିବାପରେ ସମସ୍ତଙ୍କ ମନରେ ଆସିଲା ଓଡ଼ିଆଙ୍କ ପ୍ରତି
ସମ୍ମାନ । ସେଇ ଓଡ଼ିଆ ବୋଲି ସମ୍ବୋଧନ କରୁଥିବା ଲୋକମାନେ ବି ଧିରେ ଧିରେ ଓଡ଼ିଆ କହିବା ଆରମ୍ଭ
କରିଦେଇଥିଲେ । ସେ ଅନୁଭବ କରୁଥିଲା ଓଡ଼ିଆ ହେବାର ଗର୍ବ ଆଉ ଓଡିଆ ଶବ୍ଦର ମହତ୍ତ୍ଵକୁ ।
ସେ ଦୋକନୀ ଜଣକ ସଙ୍ଗେସଙ୍ଗେ ମୋତେ ପାନ ଦୁଇଖଣ୍ଡ ହାତକୁ ବଢ଼ାଇ ଦେଇ
କହିଲା ନିଅ ଭାଇ । ମୁଁ ମନା କରିଦେଲି । ସେ ବହୁତ ବିନୟ ହେଲା ମୋତେ ଟିକେ ଦୟା ଲାଗିଲା ତା
ଉପରେ । ତଥାପି ତାକୁ ଦଶଟଙ୍କିଆ ନୋଟ ଟିଏ ବଢ଼ାଇ ଦେଲି । ସେ ଅରାଜି ହେଉଥିଲା । ଅନ୍ୟମାନେ
କହିଲେ ଟଙ୍କା ରଖିବା ପାଇଁ ସେ ବାଧ୍ୟ ହୋଇ ଟଙ୍କା ରଖିଲା ଆଉ କହିଲା ଭାଇ ମନ ଦୁଃଖ କରିବ ନାହିଁ
। ପୁଣି କେବେ ଆସିଲେ ମୋ ଦୋକାନକୁ ନିଶ୍ଚୟ ଆସିବ । ତାପରେ ସେ ମୋତେ ତାର ଭିଜିଟିଙ୍ଗ କାର୍ଡଟିଏ
ଦେଲା ।
ମୁଁ ଘରକୁ ଦୁଇଦିନ ଗଲାପରେ ଫେରିଲି । ମଝି ମଝିରେ କେବେ କେବେ
ଆନନ୍ଦପୁରମ୍ ଗଲେ ତା ସହିତ ଦେଖାହେଲେ ବହୁତ ସମ୍ମାନ ଦିଏ । ତାଙ୍କ ଘର ଆଡେ ନିଏ ଚାହା ବିସ୍କୁଟ
ମଧ୍ୟ ଖାଇବାକୁ ଦିଏ । ଏମିତି ତା ସହିତ ମୋର ସଂପର୍କ ଭଲ ଥିଲା । ମୁଁ ଚାରି ପାଞ୍ଚବର୍ଷ ଗଳାପରେ
ବ୍ୟାପାର ଛାଡ଼ିଦେଲି । ତେଣୁ ଆଉ ଯାଇ ପାରୁନାହିଁ କି ତା ସହିତ ସାକ୍ଷାତ ମଧ୍ୟ ହୋଇପାରୁନି l