ଅଭିଶାପ
ଅଭିଶାପ
ମୁଁ ଗାନ୍ଧାରୀ
ଅଭିଶପ୍ତା କି ପତିବ୍ରତା
ସମୟ କହିବ
ଶହେପୁତ୍ରର ଜନନୀ
କାନ୍ଦେ ଆଜି ଅହରହ,
ନାହିଁ ଆଜି କୋଳାହଳ
ନିଶବ୍ଦ ପାଲଟିଛି
ଏ ଇନ୍ଦ୍ରପ୍ରସ୍ଥ ।
ସମୟର ଚକ୍ରତଳେ
ସଭିଏଁ ଯେ ନିଷ୍ପେସିତ
ମୁଁ ତ ଏକ ଭଙ୍ଗା ବତୀଖୁଣ୍ଟ
ନା ଅଛି ଦମ୍ଭ
ନା ଅଛି ଆଲୋକ
ମୁଁ ତ ଆଶ୍ରିତା
ନିରୂପାୟ ଏହି ମହାସମରେ ।
ପତିବ୍ରତା ହେବାର ଚେଷ୍ଟାରେ
ସବୁଦିନ ପାଇଁ
ବାନ୍ଧିଲି ମୁଁ ପଟି
ଆଲୋକ ମୋ ପାଇଁ ସ୍ବପ୍ନ
ଅନ୍ଧାର ମୋର ଏକାନ୍ତ ବାସ୍ତବ।
ହେ କୃଷ୍ଣ
ତୁମେ କାହାପାଇଁ
ସାଜିପାର କବଚ କୁଣ୍ଡଳ
ଆଉ କାହାପାଇଁ
ସୁର୍ଦଶନ ଚକ୍ର ।
ଏକମାତ୍ର ପୁତ୍ର ମୋର
ତୁମ କୁଟିଳ କଟାକ୍ଷ ମଧ୍ଯୁ
ପାଇଲାନି ତ୍ରାହି
କଉଶଳେ ମୋ ଚକ୍ଷୁଗ୍ନିରେ
କରିଦେଲ ଭଷ୍ମ
କି ଲାଭ ପାଇଲ
ହେ ଦେବକୀ ନନ୍ଦନ
କୋଳ ମୋର କରି ଶୂନ୍ଯ ?
ହେ କପଟୀ
କପଟ ପଶାରେ ସିନା
ଜିତିଲେ କୌରବ
ହେଲେ ପାରିଲେନି ଜିତି
କୁରୁକ୍ଷେତ୍ର ସମରରୁ ।
କରିକରାଉ ଥିଲ
ସବୁତ ଘଟିଚାଲେ
ତୁମରି ଇଙ୍ଗିତେ
ହେ କୃଷ୍ଣ,
କଳେବଳେ କଉଶଳେ
କୋଳ ମୋର କଲ ଶୂନ୍ଯ
ସେଥିପାଇଁ ଘେନ ଅଭିଶାପ
ତୁମ ବଂଶ
ହୋଇବତ ଲୋପ ।
ମୃତ୍ୟୁକାଳେ ତୁମ ପାଶେ
ନଥିବେଟି କେହି
ସେହିଦିନ ହେଜିବ କହ୍ନାଇ
ପୁତ୍ରହରା ମାତାର କୋପରେ
ବଂଶହରା ହୋଇଲ
ଯଦୁକୁଳ ସାଇଁ ।
