ଅଭିନୟ
ଅଭିନୟ


ଏଇତ ଅନ୍ଧାରୁଆ...,
ଅନ୍ଧାରୁଆର ଏ କବିତାରେ
କିଛି ଅବୁଝା ଶବ୍ଦମାନେ
ଲାଗନ୍ତି ଭାରି ଜିଦିଆ,
ରହିଯାଆନ୍ତି ଅଣଦେଖା ହୋଇ
ପୁରୁଣା ଅଭିଧାନର ସେ ଅଣଲେଉଟା ପୃଷ୍ଟାରେ,
ଠିକ ଅଖାଡୁଆ ମଣିଷମାନଙ୍କର ଅସମାହିତ ପ୍ରଶ୍ନର ଉତ୍ତର ଯେମିତି ଏକତରଫା,
ଅମାନିଆ, ଅନ୍ଧାରର ଆଢୁଆଳରେ...|
ଆଖିରେ ନିଶିମଳା ଅନ୍ଧାର,
ଜୁ ନଥାଏ ଶବ୍ଦରେ
ଭେଦିବାକୁ ଜୀବନର ସରଳାର୍ଥ,
ତାଳ ମେଳ ନଥାଏ, ମୁକ୍ତ ହୃଦୟର ଭାଷା
ଅସଜଡ଼ା ଲାଗନ୍ତି ଛନ୍ଦହୀନ ଯତିପାତ ପରି,
ନେତି ନେତି ଭାବନାର ବେପରୁଆ ଭାବ
ଅବୁଝା, ଅସଂଗତି ସେ ରଚନାରେ...|
ନିରବି ଯାଉଥିବା
ଶବ୍ଦକୋଷର ସେ ଅଣଚାଶ ଅକ୍ଷର&
nbsp;
ସବୁ ନିରଳସ, ନିଃଷ୍ପ୍ରଭ ଲାଗନ୍ତି
ମେଞ୍ଚି ମେଞ୍ଚି ଅନ୍ଧାର ଭିତରେ,
ଅକୁହା, ଅସ୍ପଷ୍ଟ କଥା ସବୁ
ରହିଯା’ନ୍ତି ମୋଡି ମାଡି ହୋଇ,
ଆଖିରେ ଆଖିଏ ସ୍ୱପ୍ନ, ଧିମେଇ ଯାଆନ୍ତି
ନିବୁଜ ନିଦୁଆ ଆଖିରେ...|
ଅପରିଚିତ ଲାଗନ୍ତି
ସେହି କବିତାର ପାତ୍ର ପାତ୍ରୀ ମାନେ
ଦର ଆଉଜା ଆଖିରେ, ଚିହ୍ନି ବି ଚିହ୍ନି ହୁଏ ନାହିଁ,
ପର କି ଆପଣାପଣର ଚେହେରା
ଘୁମନ୍ତ ଆଖିର ସେ ଅନ୍ଧାର ଛାତିରେ,
କିନ୍ତୁ; ଅନ୍ଧାରୁଆର କବିତା ଯେ ଶୋଇନି,
ଚେଇଁଚି ତା’ ମନ ତଳର କିଛି
ଅଵଗୁଣ୍ଠିତ ଅନ୍ଧାରର
ସୂକ୍ଷ୍ମ ଅବଚେତନରେ...|