ଅଭିନେତା
ଅଭିନେତା
ହେ ଅଭିମାନିନୀ ପ୍ରିୟା!
ଅଭିମାନ କରନାହିଁ
ଦେଖି ମୋର ପ୍ରକୃତ ସ୍ଵରୂପ।
କରୁଛି ଛଳନା ଭାବି
କରନାହିଁ ତୁମେ ମନସ୍ତାପ।
କାହିଁକି ନା ତୁମେ ଜାଣ
ମୁଁ ଜଣେ ହାସ୍ୟ ଅଭିନେତା।
ସମାଜକୁ ହସାଇବା
ଅଟେ ମୋର ପେଷା।
କଳା ଶରୀରକୁ ମୋର
ଗୋରାକରି ପାଉଡର ମାଖି,
ଜରିଲଗା ପୋଷାକ ଲଗାଇ
ଦେଖାଏ ମୁଁ ହାସ୍ୟ ଅଭିନୟ।
ଯେତେବେଳେ ରାମ ସାଜି
ମାୟାମୃଗ ମାରିବାକୁ ଯାଏ
ତୁମକୁ ଭୁଲିଯାଇଣ
ଅଭିନୟ କରେ ମୁହିଁ
ଯାତ୍ରାଦଳ ଅଭିନେତ୍ରୀ ସଙ୍ଗେ।
ମନରେ ମୋ ଲୁଚିଲେବି
ଅସୁମାରୀ ଦୁଃଖର ପାହାଡ଼
ତଥାପି ଦାନ୍ତ ଦେଖାଏ
ଦୁନିଆକୁ ହସେଇବା ପାଇଁ।
ସମାଜ ହସଇ ଯେଣୁ
ମୋ ଦେହରେ ଦେଖିକରି
ଜରିର ପୋଷାକ
ଅକୁହା ବେଦନା ସବୁ
ତା ଆଗରେ କହି ହୁଏନାହିଁ।
ଆଖି ପଲକ ଉହାଡେ
ଲୁଚିଥିବା ଲୁହସବୁ
ପୋଛି କେବେ ହୁଏନାହିଁ
ଅଭିନେତ୍ରୀ ସୀତା ପଣତରେ।
ତୁମେ ମୋର ସହଯାତ୍ରୀ ଯେଣୁ
ତୁମଆଗେ ପାଉଡର
ପୋଛି ପକାଇଛି,
ଦେହରୁ ଖୋଲି ଦେଇଛି
ଜରିର ପୋଷାକ,
ତୁମଆଗେ କାନ୍ଦିବାକୁ
ସମୟ ପାଇଛି,
ମୋ ମନର ଦୁଃଖକଥା
କହିବାକୁ ମନ ବଳାଇଛି।
ତୁମେ ଯଦି ନ ବୁଝିବ
ମୋ ମନର ଅକୁହା ବେଦନା,
ତୁମେ ଯଦି ନ ପଢିବ
ମୋ ଆଖିରେ ଲୁଚିଥିବା
ଲୁହର କାହାଣୀ
ଅଭିନେତ୍ରୀ ସୀତା
କଣ ଶୁଣିବ ମୋ କଥା ?
ଭାଗ ନେବ ସିଏ ମୋ ଦୁଃଖରୁ?
ଦୁନିଆ ରଙ୍ଗମଞ୍ଚରେ
ପିଛାକରି ସୁନା ହରିଣୀକୁ
ନିଜକଥା ଭାବିବାକୁ
ସମୟ ମିଳେନା।
ନିଜ ଲୁହ ପୋଛିବାକୁ
ହାତ ବି ପାଏନା।
ସତ ଯଦି କୁହେ ଆଜି
ଯାହା ତୁମେ ଭାବ
ଯେତେ ତୁମେ କର ଅଭିମାନ
ତୁମପାଇଁ ଅଭିନେତା ସାଜି ପାରିବିନି।
******