ଅଭିମାନିନୀ କୃ୍ଷ୍ଣା
ଅଭିମାନିନୀ କୃ୍ଷ୍ଣା
ଦ୍ୱାପର ଯୁଗର ମହାଭାରତର
ମୋର ଚରିତ୍ର ନିଆରା ।
ମୋ ବିନା ହୁଏତ କାହାଣୀ ଅବଶ୍ୟ
ରହିଯାଆନ୍ତା ଅଧୁରା।।
ମୋ କାହାଣୀ ସ୍ରଷ୍ଟା ସ୍ୱୟଂ ବ୍ୟାସଦେବ
କଲେ ଚରିତ୍ର ଚିତ୍ରଣ ।
ନାରୀ ପ୍ରତି ଯେବେ ହୁଏ ଅସମ୍ମାନ
ନିଶ୍ଚୟ ଧ୍ୱଂସ କାରଣ ।।
ଏ ଶିକ୍ଷା କେବଳ ନଥିଲା ତତ୍କାଳ
ଯୁଗ-ଯୁଗର ଆହ୍ୱାନ ।
ନାରୀ ସୁରକ୍ଷାରେ ଊତ୍ତରଦାୟୀ ଯେ
ପୁରୁଷ ନିଶ୍ଚୟ ଜାଣ ।।
ପୁରାଣ କଥାକୁ କଲେ ଅନୁଧ୍ୟାନ
ନାରୀଶକ୍ତି ଅପମ୍ରିତ ।
ସୀତା ଯୋଗୁଁ ହେଲା ରାବଣ ନିଧନ
ମୋ ପାଇଁ ମହାଭାରତ ।।
ସତୀ ଅନସୂୟା ସତୀତ୍ୱ ପଣରେ
ବଞ୍ଚାଇଲେ ନିଜ ପତି ।
ସକଳ ଦେବଙ୍କୁ କଲେ ବିଚଳିତ
ରାତି ହେଲା ସପ୍ତରାତି ।।
ସତୀ ସାବିତ୍ରୀ ଯେ ଯମଙ୍କ ନିକଟୁ
ରଖିଲେ ପତିଙ୍କ ପ୍ରାଣ ।
ପିତାମାତା ସହ ଶ୍ୱଶୁର ଶାଶୁଙ୍କ
ବଢାଇଥିଲେ ସମ୍ମାନ ।।
ଦ୍ରୁପଦଙ୍କ କନ୍ୟା ନାମଟି ପାଞ୍ଚାଳୀ
ପାଞ୍ଚାଳର ରାଜଜେମା ।
ମୋ ଶରୀର ରଙ୍ଗ ଅଟେ କୃଷ୍ଣବର୍ଣ୍ଣା
ସେଥିପାଇଁ ନାମ କୃଷ୍ଣା ।।
ଅଯୋନି ସମ୍ଭୂତା ଯଜ୍ଞୁ ଆବିର୍ଭୂତା
ମୁହିଁ ପରା ଯାଜ୍ଞସେନୀ ।
ଦେବଅଂଶୀ ମୁହିଁ ଭିନ୍ନ ମୋ ଚରିତ୍ର
ଦୁଃଖଦ ମୋର କାହାଣୀ ।।
ଦ୍ରୁପଦ ନନ୍ଦିନୀ ରୂପେ ପରିଚିତ
ଦ୍ରୌପଦୀ ନାମରେ ଖ୍ୟାତ ।
କିଏ କେଉଁ ନାମେ ସମ୍ବୋଧନ କରି
ଡାକନ୍ତି ମୋତେ ସତତ ।।
ଅଲିଅଳି ରାଜକୁମାରୀ ଥିଲି ମୁଁ
ମୋର ଭ୍ରାତା ଧୃଷ୍ଟଦ୍ୟୁମ୍ନ ।
ଅତ୍ୟନ୍ତ ବାତ୍ସଲ୍ୟ ସ୍ନେହେ ପିତାମାତା
କଲେ ସଯତ୍ନେ ପାଳନ ।।
ଦୁର୍ଯ୍ୟୋଧନ ମିତ୍ର କର୍ଣ୍ଣଙ୍କୁ ଅନ୍ତରେ
କୃଷ୍ଣା ପ୍ରେମ କରୁଥିଲେ।
କର୍ଣ୍ଣ ବି କୃଷ୍ଣାଙ୍କ ରୂପରେ ପାଗଳ
ହୋଇ ଭଲ ପାଇଥିଲେ ।।
ପିତାଙ୍କର ଇଚ୍ଛା ଅର୍ଜୁନଙ୍କ ସହ
ହେଉ ବିବାହ ସମ୍ପନ୍ନ ।
କର୍ଣ୍ଣଙ୍କ ସହିତ କୃଷ୍ଣା ବିବାହକୁ
କୃଷ୍ଣ କଲେ ପ୍ରତ୍ୟାଖ୍ୟାନ ।।
ଇନ୍ଦ୍ରପ୍ରସ୍ଥେ ଯେବେ ଯୁଧିଷ୍ଠିରଙ୍କର
ରାଜ-ଅଭିଷେକ ହେଲା ।
ଦୁର୍ଯ୍ୟୋଧନ ସହ ନେତୃବୃନ୍ଦଙ୍କର
ସମାଗମ ହୋଇଥିଲା ।।
ଇନ୍ଦ୍ରପୁରୀଠାରୁ ଅତି ଚମତ୍କାର
ଇନ୍ଦ୍ରପ୍ରସ୍ଥର ଭବନ ।
କୃଷ୍ଣଙ୍କ ଆଦେଶେ ମୟଦାନବ ଯେ
କଲା ପ୍ରାସାଦ ନିର୍ମାଣ ।।
ପ୍ରାସାଦ ମଧ୍ୟସ୍ଥ ବିଭିନ୍ନ ଦୃଶ୍ୟ ଯେ
କୁହୁକ ସମ ଅଦ୍ଭୁତ ।
ଜଳେ ସ୍ଥଳଭ୍ରମ ସ୍ଥଳେ ଜଳଭ୍ରମ
ଦେଖି ଲାଗେ ଆଚମ୍ବିତ ।।
ଯାଦୁ ଭବନର ରହସ୍ୟ ନଜାଣି
ମାନୀ କରିଲେ ଭ୍ରମଣ ।
ଜଳ ଭାବି ଅତିସନ୍ତର୍ପଣେ ଗଲେ
ବସ୍ତ୍ର ପାଦରୁ ଟେକିଣ ।।
ପ୍ରକୃତରେ ତାହା ଜଳ ହିଁ ନଥିଲା
ଥିଲା ଯେ ତାହା ଶୁଷ୍କ ପଥ ।
ପୁଣି କିଛି ବାଟ ଯାନ୍ତେ ଯୁବରାଜ
ପ୍ରତିତୀ ଯେ ସ୍ଥଳପଥ ।।
ସ୍ଥଳ ମନେକରି ଚାଲୁଥିବା ବେଳେ
ଜଳରେ ଖସି ପଡିଲେ ।
ସୁଯୋଧନଙ୍କର ଏପରି ଅବସ୍ଥା
କୃଷ୍ଣା ସ୍ୱୟଂ ଦେଖିଥିଲେ ।।
ଉପହାସ କରି କହିଲେ ପାଞ୍ଚାଳୀ
ଅନ୍ଧର ପୁତ୍ର ହିଁ ଅନ୍ଧ ।
ଘୋର ଅପମାନେ ହୋଇ କ୍ରୋଧାନ୍ବିତ
ନିଶ୍ଚେ ନେବି ପ୍ରତିଶୋଧ ।।
ମୋର ସ୍ୱୟମ୍ବରେ ଯୋଗଦେଇଥିଲେ
ବହୁ ଯୁବରାଜଗଣ ।
ସେହି କାର୍ଯ୍ଯକ୍ରମେ ବହୁ ବୀର ସହ
ଉପସ୍ଥିତଥିଲେ କର୍ଣ୍ଣ ।।
କର୍ଣ୍ଣଙ୍କ ବୀରତ୍ୱ ଥିଲା ନିଃସନ୍ଦେହ
ପିତାଙ୍କ ସର୍ତ୍ତ ମାନିବା ।
ପାତ୍ରେ ତୈଳ ଦେଖି ମତ୍ସ୍ୟର ଅକ୍ଷିକୁ
ଲକ୍ଷ୍ୟରେ ଶର ଭେଦିବା ।।
ଅନାୟାସେ କର୍ଣ୍ଣ ଏହି ପରୀକ୍ଷାରେ
ନିଶ୍ଚୟ ଉତ୍ତୀର୍ଣ୍ଣ ହେବ ।
କପଟରେ ନାସ୍ତି ଇଙ୍ଗିତ କରିଲେ
ସ୍ୱୟଂ ପ୍ରଭୁ ବାସୁଦେବ ।।
ବୁଝିବା ବ୍ୟକ୍ତିକୁ ଠାର ତ ଯଥେଷ୍ଟ
ଏହି ଜ୍ଞାନେ ଯାଜ୍ଞସେନୀ ।
ସୂତପୁତ୍ର କହି ଦେଲେ ଅପମାନ
କର୍ଣ୍ଣଙ୍କୁ ରାଜ ନନ୍ଦିନୀ ।।
ସହି ଅପମାନ ଲଜ୍ଜା ବୋଧେ କର୍ଣ୍ଣ
ଫେରିଲେ ମିତ୍ର ସମୀପ ।
ଦୁହେଁ ଦୁହିଁଙ୍କର ଅପମାନ କଥା
କହିଲେ ହୋଇ ସନ୍ତାପ ।।
ଦ୍ୟୁତକ୍ରୀଡା ପାଇଁ ମାନଗୋବିନ୍ଦ ଯେ
ଧର୍ମରାଜଙ୍କୁ ବରିଲା ।
ସ୍ୱାର୍ଥସିଦ୍ଧି ସହ ପ୍ରତିଶୋଧ ପାଇଁ
ବିଭିନ୍ନ ସର୍ତ୍ତ ରଖିଲା ।।
ମାନଗୋବିନ୍ଦ ଯେ ଶକୁନି ମାମୁଁଙ୍କୁ
ଖେଳିବାକୁ ଆଜ୍ଞା ଦେଲା ।
କପଟରେ ପଶାକାଠି ଗଡାଇଣ
ପାଣ୍ଡବଙ୍କୁ ହରାଇଲା ।।
ସର୍ତ୍ତ ଅନୁସାରେ କପଟ ଦ୍ୟୁତରେ
ପାଣ୍ଡବ ପରାସ୍ତ ହେଲେ ।
ବାଜିମାତ କରି ମାନୀ ଦୁର୍ଯ୍ୟୋଧନ
ଇନ୍ଦ୍ର-ଚନ୍ଦ୍ର ନ ମାନିଲେ ।।
ଇନ୍ଦ୍ରପ୍ରସ୍ଥ ସହ ସକଳ ବୈଭବ
ଦ୍ୟୁତରେ ହରାଇଥିଲେ ।
ପାଣ୍ଡବେ ହୋଇଲେ ଭୃତ୍ୟ କୁରୁଙ୍କର
କୃଷ୍ଣା ବାଜିରେ ହାରିଲେ ।।
ପୂର୍ବ ଅପମାନ ସ୍ମରି ଦୁର୍ଯ୍ୟୋଧନ
ଦୁଃଶାସନେ ଆଜ୍ଞା ଦେଲା ।
ଅଗ୍ରଜ ଆଦେଶ ମାନି ଦ୍ରୌପଦୀଙ୍କ
କେଶ ଆକର୍ଷି ଆଣିଲା ।।
ସଭାରେ ବିବସ୍ତ୍ର କରିବାପାଇଁ କି
ଦୁଃଶାକୁ ଦେଲା ଆଦେଶ ।
ଅପମାନ କଥା ସ୍ମରଣ କରାଇ
କୃଷ୍ଣାଙ୍କୁ କଲେ ବିବଶ ।।
ସଭାରେ ରାଧେୟ କରିଣ ଚିତ୍କାର
ବେଶ୍ୟା ବୋଲି ସମ୍ବୋଧିଲେ ।
ଲଜ୍ଜା-ଅପମାନ ଅଶ୍ଳୀଳ ଇଙ୍ଗିତ
ସବୁ କିଛି ସହ୍ୟ କଲେ ।।
ଅନାବୃତ୍ତ ବସ୍ତ୍ର କରନ୍ତେ ଦୁଃଶା ଯେ
ଚିନ୍ତାମଣିଙ୍କୁ ଚିନ୍ତିଲେ।
ନିରାଶ୍ରୟ ମୋତେ ଜଗଦୀଶ ରକ୍ଷ
ଆକୁଳ ପ୍ରାର୍ଥନା କଲେ ।।
ଶିଶୁପାଳ ବଧ ସମୟେ ପ୍ରଭୁଙ୍କ
ଚକ୍ରେ ତର୍ଜନୀ କଟିଲା ।
କ୍ଷତ ଅଙ୍ଗୁଳିରେ ତତ୍କାଳ ପାଞ୍ଚାଳୀ
ସ୍ୱବସ୍ତ୍ର ଚିରି ବାନ୍ଧିଲା ।।
ଶ୍ରୀକୃଷ୍ଣ-କୃଷ୍ଣାଙ୍କ ଥିଲେ ପ୍ରିୟ ମିତ୍ର
ପ୍ରଭୁଙ୍କ ସ୍ନେହୀ-ବାନ୍ଧବୀ ।
ଶରଣରକ୍ଷଣ ଭକତବତ୍ସଳ
କୃପା ଲଭିଲେ ପ୍ରଭୁ ସେବି ।।
କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରିଲେ
ଅବଳା ଯାଜ୍ଞସେନୀର ।
ଭକତବାନ୍ଧବ-କରୁଣାସାଗର
ଦୁଃଖ ହରିଲେ ସତ୍ବର ।।
କେଉଁ ଜନମର କୃତକର୍ମ ଫଳ
ଅବା ଭୋଗିଲି ପାପର ।
କି ଦୋଷୁ କାହାର ଅଭିଶାପ ଫଳ
ବିଡମ୍ବନା ତ ଭାଗ୍ୟର ।।
ବିଶ୍ୱବିଜୟୀ ମୋ ପଞ୍ଚପତି ଦେବ
ସର୍ବେ ହୋଇଲେ ନିଷ୍କ୍ରିୟ ।
ମୁଣ୍ଡପାତି ସବୁ ସହ୍ୟ କରିଗଲେ
ଅଧର୍ମ ସହ ଅନ୍ଯାୟ ।।
ଭୀଷ୍ମ ପିତାମହ ଗୁରୁ ଦ୍ରୋଣାଚାର୍ଯ୍ୟ
କୃପ ଶଲ୍ୟ ଓ ବିଦୁର ।
ହସ୍ତିନା ନରେଶ ରାଜା ଧୃତରାଷ୍ଟ୍ର
ପାଲଟିଲେ ସବୁ ଜଡ ।।
କର୍ମଫଳ ଭାବି ଭାଗ୍ୟକୁ ଆଦରି
ସହିଗଲି ଯେ ନିର୍ଯ୍ୟାତନା ।
ମଥାପାତି ମୁହିଁ ସହିଗଲି ସବୁ
ଅଭିମାନେ ଆନମନା ।।
ବେଣୀ ସଂହାରର ପ୍ରତୀକ ସ୍ୱରୂପ
ଆଜିଠୁ ମୁକୁଳା ମୋ କେଶ ।
ଦୁଃଶାସନ ବାହୁ ରକ୍ତେ ମୁକ୍ତ କେଶ
ବନ୍ଧନ ହେବ ଅବଶ୍ୟ ।।
ମାନ-ଅଭିମାନ ନାରୀର ସମ୍ବଳ
ତାହା ଯେ ଅମୋଘ ଅସ୍ତ୍ର ।
ମାନଭଞ୍ଜନରେ ପୁରୁଷସିଂହ ବି
ହୋଇଥାଏ ସେ ପରାସ୍ତ ।।
