ଅଭିମାନ ପୁଣି ତୁମ ଉପରେ
ଅଭିମାନ ପୁଣି ତୁମ ଉପରେ
କରି ପାରିଲନି କାହିଁକି ମତେ, ତୁମ ପରି ପଥର,
ବାଧୁ ନଥାନ୍ତା କେବେ ଖରା ବର୍ଷା କି କାକର l
ମୋ ପରିସ୍ଥିତି ଦେଖି ହେଉ ନଥାନ୍ତି କାତର,
ଗାଳି ଦଉ ନଥାନ୍ତି ତୁମକୁ ଏମିତି ବାରମ୍ବାର ll୧ll
ଲେଖିବା ବେଳେ ଏପରି ଏକ ଭାଗ୍ୟ ମୋହର,
ଥରି ନଥିଲା କି କୁହ, ଟିକେ ବି ହାତ ତୁମର l
ଅବା ମନେ ମନେ ହସୁଥିଲ, ଆହେ ଡ୍ରାମାକାର !
ଦେଖିବ ବୋଲି ଜଣଙ୍କର ହରବର ll ୨ ll
ଏବେ କେମିତି ଲାଗୁଛି ଦେଖି ଦୁଃଖ ମୋହର,
ଦେଇ ଥାଆନ୍ତ ହେଲେ କିଛି ଶକ୍ତି ଦୁଃଖ ସହିବାର l
ସଂଘର୍ଷ କରୁ ନଥାନ୍ତି ବିଭ୍ରାନ୍ତିକର ପରିସ୍ଥିତିର,
ଏମିତି ନାଚୁ ନଥାନ୍ତି ନିତି ନପିନ୍ଧି ବି ଘୁଙ୍ଗୁର ll ୩ ll
ତୁମ ଜିତିବାରେ ଅବା କି ଅଛି ଚମତ୍କାର !
ଥରେ ତ ହେଲେ ଚାଖ ସୁଆଦ ହାରିବାର l
କେମିତି ଲାଗେ ଜୀବନ ଯୁଦ୍ଧେ ହାରିଗଲେ,
ବିନା ବିଚାରେ ଭାଗ୍ୟ ପାଶେ ବନ୍ଦୀ ହୋଇଗଲେ ll ୪ ll
ସୁଖ ଦୁଃଖକୁ ନେଇ ଗଢା ତୁମ ସଂସାର,
ମାନୁଚି ତୁମେ କରୁଥିବ ନିଶ୍ଚେ ଉଚିତ ବେଭାର l
କିନ୍ତୁ ଏ ମାୟା ସଂସାରର ନିକିତି ତଉଲିବାରେ,
ହାତ ଥରେନା କି କୁହ କେବେ ତୁମର ll ୫ ll
କହି ପାରିବିନି, ତୁମେ କେବେ କରି ପାରୁଥିବ ଅନ୍ୟାୟ ବିଚାର,
କିନ୍ତୁ କି ଅଛି ଉଦ୍ଦେଶ୍ୟ ଏପରି ଏକ ସଂସାର ଗଢିବାର l
ଯାହାକୁ ସମ୍ଭାଳିବାରେ ଦିନୁ ଦିନ ବଢେ କଷ୍ଟ ତୁମର,
ତେଣୁ କି ସବୁ କଷ୍ଟକୁ ଲଦି ଦେଉଅଛ ଏପରି ଅନ୍ୟ ଉପର ll ୬ ll
