ଅଭିଳାଷ
ଅଭିଳାଷ
ଇଛାହୁଏ ବହିଯିବି ନଈଟିଏ ହୋଇ
ତୁମ ସାଗରର ବକ୍ଷକୁ
ଇଛାହୁଏ ଫୁଲ ହୋଇ ଫୁଟିଯିବି
ତୁମର ସେ ମନ ଉପବନକୁ ।
ଇଛାହୁଏ ଲୋଟିଯିବି ତୁମ କୋଳେ
ଆସୁ ଯେତେ ବିପଦ
ଇଛାହୁଏ ହସିହସି ସାଉଁଟିବି
ସବୁ ତୁମ ଦୁଃଖ ତ ।
ଇଛାହୁଏ ଢାଳିଦିବି ପାଦତଳେ
ସବୁ ସୁଖ ସମ୍ପଦ
ଇଛାହୁଏ ତୋଳିଦେବି ତୁମ ପାଇଁ
ସ୍ୱର୍ଗର ପାରିଜାତ ।
ଇଛାହୁଏ ଗାଇଯିବି ତୁମ ପାଇଁ
ମହ୍ଲାର ରାଗିଣୀ ତ
ଇଛାହୁଏ ନାଚିଯିବି ତୁମ ଛନ୍ଦେ
ଦେବଦାସୀ ହୋଇ ତ ।
ଇଛାହୁଏ ପିଇଯିବି ତୁମର ଅଝଟ ପଣ
ବିଷ କଣ୍ଠ ପରି ତ
ଇଛାହୁଏ ଭରିଦେବି ତୁମ ମନେ
ଅସୁମାରି ଅମୃତ ।
ଇଛାହୁଏ କହିଦେବି ସବୁକିଛି
ମରମର କଥା ତ
କେବେହେଲେ ପଚାରିନ କିବା ଅଛି
ତୁମ ମନେ ବ୍ୟଥା ତ ।
ଇଚ୍ଛାହୁଏ ଗପୁଥିବି ତୁମ ସାଥେ
ଅୟୁତ ଯୁଗର ଗଳ୍ପ ତ
ଗପିଯିବି ଭାବେ ହେଲେ
ଗପି ପାରେନାହିଁ ତ ।
ଇଛାହୁଏ ଶୋଇଯିବି ତୁମ କୋଳେ
ଚିର ନିଦ୍ରା ଶେଯରେ
ସେଥିପାଇଁ ଶରଣ ପଶୁଛି ସେଇ
ବିଭୁ ପାଦତଳରେ ।
ବିଷମୟ ଏ ସଂସାର ତୁମ ନାମ
ସାର ଏକା ସଂସାରେ
ଶୟନେ ସ୍ୱପନେ ଧ୍ୟାୟୀ
ତଵ ନାମମୃତ ପିଇ ।
ପାଏ ମୁକ୍ତି ଅଚିରେ
ତୃଷିତ ପ୍ରାଣରେ ଟିକେ
ଝରାଅ ପିୟୁଷ ଧାରା
ପୁନର୍ଜନ୍ମ ନ ପାଉ ଏ ଜୀବ ତ
ଇଛାମୟ ପୂର୍ଣ୍ଣକର ମମ ଇଚ୍ଛା
ଉଦ୍ଧାର କର ଏ ପାପ ଜଗତ |