ଆଉ ନୁହେଁ
ଆଉ ନୁହେଁ
ନା, ଆଉ ନୁହେଁ
ଏଣିକି କିଛି ଚାଲିବନି ତୁମ ହିସାବରେ
ପ୍ରତିଥର ମୁଁ କାହିଁକି ଢ଼ାଳିନେବି ତୁମରି ଚାଞ୍ଚରେ
ତୁମେ ହସିବ କିରି କିରି ହୋଇ
ଆଉ ମୁଁ,
ତୁମ ହସର କାରଣ ନ ବୁଝି ମଧ୍ୟ ଚାହିଁ ରହିବି ମୁଗ୍ଧ ହୋଇ
ତୁମେ କାନ୍ଦିବ ଆଖି ଓଠ ଲୁହରେ ଭିଜାଇ
ପ୍ରତି ନଗଣ୍ୟାତି କଥାରେ
ଆଉ ମୁଁ ତୁମକୁ ସାନ୍ତ୍ବନାର ମଧୁମନ୍ତ୍ର ଶୁଣାଉଥିବି
ତୁମ ଲୁହ ପୋଛି ନିଜେ ଓଦା ହୋଇ
ନା, ଆଉ ନୁହେଁ...
ଆଉ ନୁହେଁ
ମୁଁ କାହିଁକି ପ୍ରତିଥର ସାଜିବି
ତୁମ ରକ୍ଷକ ଅବା ଚରିତ୍ରର ଦ୍ବାରପାଳ ହୋଇ
ଭାରି ତ ଡିଣ୍ଡିମ ପିଟୁଛ ନାରୀ ପୁରୁଷ ଏକ ବୋଲି
ସେଇ ସାହାସରେ,
ସାଞ୍ଜୁଟିଏ ପିନ୍ଧିନିଅ ନିଜେ ନିଜର ତ୍ରାଣକର୍ତ୍ତା ହୋଇ
ତୁମ ମାନ ଅଭିମାନ ଆଉ ଦୋହଲାଇବ ନାହିଁ
ମୋର ଅସ୍ଥି ପିଞ୍ଜରା ସେ ପର୍ଯ୍ୟନ୍ତ
ଯେ ପର୍ଯ୍ୟନ୍ତ ତୁମେ ନ ଭାବିଛ
ତୁମେ ଆଉ ମୁଁ ପରସ୍ପରର ପରିପୂରକ ବୋଲି
ନା, ଆଉ ନୂହେଁ...
ଟି.ଦୁର୍ଗା ପ୍ରସାଦ ରାଓ