ଆଉ କି କହିବ
ଆଉ କି କହିବ
ହଜାଇ ଦେଲୁକି ସବୁ ତୁ ଠିକଣା
କରାଇ ମୋତେ ତୁ ବନ୍ଦୀ
କି ମାୟାରେ ତୁହି ମାୟାବିନୀ ହେଲୁ
କାହା ପ୍ରେମେ ହୋଇ ଛନ୍ଦି ll 1
ଅପରାଧ ମୋର କି ଅବା ଥିଲା ଯେ
ଫିଙ୍ଗିଲୁ ଜନମ ଦେଇ
ପୂତିଗନ୍ଧମୟ ଅଳିଆଗଦାର
ଆବର୍ଜନା କୁଣ୍ଡେ ଥୋଇ ll 2
ଦୁନିଆରେ ମୋର ପିତାମାତା ଥାଇ
କଲୁ କାହିଁ ଅନାଥିନୀ
ତୁ ପରା ଜନନୀ ଦୁର୍ଗତିନାଶିନୀ
କିମ୍ପା ହେଲୁ ହୀନିମାନି ll 3
ଆଜି ନ ହେଲେ ବି କାଲି ଏ ଦୁନିଆ
କହିବ ଆଙ୍ଗୁଳି ଠାରି
କି କଲୁ କି କଲୁ ଅପବାଦ ଡରେ
ଜନନୀତ୍ବ ଦେଲୁ ମାରି ll 4
ନିମିଷକ ପରେ ବିଲୁଆ କୁକୁର
ଖାଇବେ ମୋତେ କାମୁଡି
ବଞ୍ଚି ଥାଉଥାଉ ଦୁନିଆ ଆଗରେ
ଲୁଚାଇ ଦେଲୁ ଫୋପାଡି ll 5
ମାଆ ହୋଇ ଯଦି ଏପରି କରିଲୁ
କେମିତି ବଞ୍ଚିବୁ ଏକା
ଜନନୀ ହୋଇ ତୁ ମୋ ମଥାରେ କିଆଁ
ଦେଲୁ କଳଙ୍କର ଟୀକା ll 6
ଭୂଲି ଗଲୁ ସ୍ନେହ ମମତା ମୟୀର
ନାରୀ ତୁ ସୃଷ୍ଟି କାରିଣୀ
ଆଉ କି କହିବ ଏ ଦୁନିଆ ତୋତେ
ଜାୟା, ଭଗିନୀ, ଜନନୀ ll 7