ଆଉ ଏକ ଅନନ୍ୟ ଗୀତ
ଆଉ ଏକ ଅନନ୍ୟ ଗୀତ
ନାରଦ ମହର୍ଷି କୈଳାସ ଶିଖରେ ଦେବ ଦେବ ମହାଦେବ
ଚିନ୍ତାମଗ୍ନ ଦେଖି ପୁଛନ୍ତି କିହେଲା ବିରସ କିମ୍ପା ଭୋ ଦେବ
ଆହେ ବିଶ୍ଵ ପିତା ଆପଣତ ଦାତା ଅଗତିର ଗତି ଦୟା
ସାଗର ଆପଣ ଦୁଃଖ କି କାରଣ ସାକମ୍ଵରୀ ଯାର ଜାୟା ।।
କିକହିବି ଘର ଚିନ୍ତାରେ ଆକୁଳ ହେଉଅଛି ମୋର ମନ
ଜାୟା ମୋ ପ୍ରଖର ମୁଖରା ରଜନୀ କାଳେ ଭ୍ରମଇଁ ଶ୍ମଶାନ
ମଦ୍ୟ ପାନ କରେ ଡାକିନୀ ମେଳରେ କିଳିକିଳା ନାଦ କରି
ରାତ୍ର ଉଜାଗର ତାପାଇଁ ମୋହର ମନ ଯାଉଅଛି ମରି ।।
ଏକ ପୁତ୍ର କରୀ ବଦନ ଆରେକ ଷଡ଼ ମୁଖ ରୂପତାର
ନନ୍ଦି,ଭୃଙ୍ଗି ଦ୍ଵୟ ବିକୃତ ବଦନ ସର୍ପ ମୋର ଗଳାହାର
ଗୋ-ପୁତ୍ର ବାହାନ ଜାୟା ସିଂହ ଯାନ ମୂଷିକ ମୟୂର ସବୁ
ଖାଦ୍ୟ ଖାଦକର ଘର ଯେ ମୋହର ଦିନ ସରେ ଭାବୁ ଭାବୁ ।।
ଏଚିନ୍ତା ରେ ବସି ନାରଦ ମହର୍ଷି ମନ ମୋ ବଡ଼ ବ୍ୟାକୁଳ
ଭାବି ଭାବି ମୁଁ ତ ପାଲଟି ଗଲିଣି କଳା ମୁଗୁନି ପଥର
ନାରଦ ବଦନ୍ତି ସ୍ଵୟଂ ଯେବେ ଦୁଃଖୀ ଦୁଃଖ ସଂସାର ଜନର
କିନଥିବ ପ୍ରଭୁ ସଂସାରୀ ସଂସାରେ ହୁଏ କେତେ ହରବର ।।
ଜଗା ହେଲେ କାଠ, ମୁଗୁନି ମହେଶ ମଣିଷ କେତେ ମାତର
ଡାକେ ଶୈଳଭୂତ ଯୋଗୀସ ମହେଶ ପ୍ରଫୁଲ୍ଲ ହୋଇ କାତର ।।