ଆତ୍ମନିବେଦନ
ଆତ୍ମନିବେଦନ
ନାଟ ଲଗେଇଛୁ ବୋଲି ତୁ ନାଟୁଆ
ଛଳ କରୁ ବୋଲି କୁହାଉ ଛଳିଆ
ଯାହା ହେଲେ ବି ତୁ ଗଳାମାଳିଆ
ଜୀବନ ଧନ ତୁ ମୋ'ର କାଳିଆ ।
ଜଗତ ରଖିଛୁ ହେ ଜଗତପତି
ତୋ ମୁଖ ଦେଖିଲେ ମିଳଇ ମୁକତି
ତୋ ସିଂହ ଦୁଆର ଭରି ଥାଏ ଶକ୍ତି
ତେଣୁ ତୋ ପାଦରେ ଅଛି ମୋର ଭକ୍ତି ।
ବଡ଼ ତୋ ଦୁଆର ତୁ ବଡ଼ ଠାକୁର
ପାପୀ ଜନଙ୍କୁ ଯେ ନେଉ ସ୍ଵର୍ଗଦ୍ଵାର
କ୍ଷୁଧା ତୃଷ୍ଣା ମିଟେ ଦେଖି ତୋ ଭଣ୍ଡାର
ତେଣୁ ଅବଢ଼ାଟି ଏତେ ପ୍ରିୟ ମୋର ।
ରଥରେ ବାମନ ଲକ୍ଷ୍ମୀ ହୃଦଧନ
ଭକତଙ୍କର ତୁ ତୋଷୁ ଥାଉ ମନ
କେହି ଫେରି ନାହିଁ ନିରାଶାକୁ ନେଇ
ତେଣୁ ତୋ ଦାଣ୍ଡ ରେ ବସିଥିବି ଚାହିଁ ।
ଚଉବର୍ଗ ଦାନୀ ଜଗତ କହୁଛି
ବଡ଼ ଆଖି ତୋ ମୋ ଆଖିରେ ମିଶିଛି
କାମନା ବଞ୍ଛନା ସବୁ ମୁଁ ଭୁଲୁଛି
ଲାଗୁଛି ଜଗାମୁଁ ତୋ ପ୍ରେମରେ ପଡ଼ିଛି ।