ଆଷାଢର ଆଗମନେ
ଆଷାଢର ଆଗମନେ
ମେଘର ମୁକୁଟ ପିନ୍ଧିଣ ଆଷାଢ
ଆସିଛି ଧରା ଧାମକୁ
ରଜ ପରବରେ ଦୋଳିରେ ଝୁଲିଣ
ରଜ ପାନ ଖାଇବାକୁ||
ଝିପି ଝିପି ହୋଇ ବରଷି ଯାଉଛି
ପାନ ନିଶା ମତୁଆଲୀ
ପୋଡ ପିଠା ଖାଇ ରଜ ଗୀତ ଗାଇ
ଆନନ୍ଦରେ ଖେଳି ଦୋଳି||
ଧରଣୀ ରାଣୀକୁ ଦେଇଛି ଭିଜାଇ
ହୋଇଛି ସେ ରଜସ୍ୱଳା
ନାନା ଜାତି ଫୁଲ ଫଳେ ଭରିଦେବ
ହୋଇଣ ଶସ୍ୟ ଶ୍ୟାମଳା ||
ବୃକ୍ଷ କୋରଡରେ ଚାତକ ଦଳର
ତୃଷାର୍ତ୍ତେ ଆର୍ତ୍ତ ଚିତ୍କାର
ସହି ନ ପାରିଣ ଝରିଲା ବରଷା
ଆକାଶ ଆଖିର ନୀର ||
ଚାତକର ତୃଷା ମେଣ୍ଟାଇ ଦେବାକୁ
ଝିପି ଝିପି ବରଷିଲା
ଆନନ୍ଦେ ଚାତକ ଚାତକୀର ଦଳ
ବର୍ଷାଜଳ ପାନ କଲା ||
କଳା ମେଘ ଦେଖି ବଣରେ ମୟୂର
ନାଚେ ଛମ ଛମା ଛମ
ଦେଖି ତା ସୁନ୍ଦର ପୁଚ୍ଛର ସୌନ୍ଦର୍ଯ୍ୟ
ମୟୂରୀ ହୃଦୟେ ପ୍ରେମ ||
ଆଦ୍ୟ ଆଷାଢର ବରଷାରେ ଭିଜି
ଚାଷୀକୁଳ ତରତର
ଧାନ ତଳି ନେଇ ବିଲରେ ରୋଇଲା
କୃଷି କର୍ମେ ହରବର ||
ବାଡି ବଗିଚାରେ ମଞ୍ଜି ପୋତିଥିଲା
ଅଙ୍କୁରିତ ହେଲା ତାହା
ଜ୍ୟେଷ୍ଠ ମାସେ ପୋତା କଦଳୀର ପୁଆ
ଆଷାଢରେ ହେଲା ଠିଆ ||
ସାରୁ ବୁଦା ମୂଳେ ବେଙ୍ଗ ଓ ବେଙ୍ଗୁଲି
ବରଷାର ଆଗମନେ
କେଁ କଟର ସୁରେ ରଡି ଛାଡୁଛନ୍ତି
ଅତି ହରଷିତ ମନେ ||
କଙ୍କି ପ୍ରଜାପତି ଆକାଶେ ଉଡନ୍ତି
ବରଷାର ଆଗମନେ
ଏଠି ସେଠି ବସି ଯାଉଛନ୍ତି ଖସି
ଖୁସି କରି ଶିଶୁ ଗଣେ ||
ନାଲି ଟୁକୁ ଟୁକୁ ସାଧବ ବୋହୁର
ନସର ପସର ଚାଲି
ଗେଣ୍ଡୁ ପୋକ ସଙ୍ଗେ ତେଲୁଣି ପୋକ ବି
ବାହାରି ପଡିଲେ ବୁଲି ||
ସରିସୃପ ଯେତେ ପିଲା ଛୁଆ ଧରି
ବାହାରକୁ ବାହାରିଲେ
ଖାଦ୍ୟ ଅନ୍ୱେଷଣେ ବୁଲି ଏଣେ ତେଣେ
ସଭିଙ୍କ କାଳ ସାଜିଲେ ||
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
ସଙ୍ଗେ ଘେନି ଜଗନ୍ନାଥ
ବରଷାରେ ଭିଜି ରଥ ପରେ ବସି
ରଚନ୍ତି ଗୁଣ୍ଡିଚା ଯାତ ||
ରଥରେ ବାମନ କରିଣ ଦର୍ଶନ
ଭକ୍ତ ହୁଅଇ ତଲ୍ଲୀନ
ଜାତି ଧର୍ମ ବର୍ଣ୍ଣ ଭାଷା ନିର୍ବିଶେଷେ
ଏକମନ ଏକ ପ୍ରାଣ ||
ସତେକି ଆଷାଢ ବରଷାକୁ ନେଇ
ଆସଇ ଏହି ଜଗତେ
ପ୍ରଭୁ ଚକାଡୋଳା ଦର୍ଶନ ପାଇଁ କି
ଭାଇ ଭଗ୍ନୀ ସାଥେ ରଥେ ?
